Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଏବେ ଠାରୁ ପ୍ରଚଣ୍ଡ ଖରାର ପ୍ରଭାବ ଦେଖାଦେଉଛି। ଅସହ୍ୟ ଗରମ ସହ ଗୁଳୁଗୁଳି ପରିସ୍ଥିତି ଲୋକଙ୍କୁ ଅତିଷ୍ଠ କରିଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୭ ତାରିଖ ଯାଏଁ ଏଭଳି ତାତି ଅବ୍ୟାହତ ରହିବ।ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୟଙ୍କର ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ।

ଟିଟିଲାଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୩ ଡିଗ୍ରୀ ପହଞ୍ଚିବା ସମ୍ଭାବନା ରହିଛି। ବରଗଡ଼ରେ ୪୨ ଓ ବୌଦ୍ଧରେ ୪୧ ଡିଗ୍ରୀ ରହିପାରେ ବୋଲି ଆକଳନ କରାଯାଇଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ତୁଳନାମୂଳକ ଭାବେ କମ ରହିବ।ମଙ୍ଗଳବାର ଦୁଇ ଜିଲ୍ଲା ବରଗଡ଼ ଓ ବଲାଙ୍ଗୀରରେ ଗ୍ରୀଷ୍ମଲହରୀ ବହିବାର ସମ୍ଭାବନା ରହିଛି। ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଗରମ ସହ ଗୁଳୁଗୁଳି ଜାରି ରହିବ। ବଲାଙ୍ଗୀର, ଟିଟିଲାଗଡ଼ ଓ ବରଗଡ଼ରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଯାଇପାରେ।

ଝାରସୁଗୁଡ଼ାରେ ୪୩ ଡିଗ୍ରୀ, ବୌଦ୍ଧ ଓ ନୂଆପଡ଼ାରେ ୪୧ ଡିଗ୍ରୀ ପହଞ୍ଚିବା ଆଶଙ୍କା ରହିଛି। ଏହାସହ ୧୫ ଓ ୧୬ ତାରିଖରେ ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମଲହରୀ ଅଧିକ ପ୍ରବଳ ହେବା ସମ୍ଭାବନା ରହିଛି। ତେଣୁ ଲୋକମାନଙ୍କୁ ଅତ୍ୟାବଶ୍ୟକ କାମ ଛାଡ଼ି ଦିନରେ ବାହାରକୁ ନ ଯିବାକୁ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *