ନ୍ୟୁଜ ଡେକ୍ସ : ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଓ କୃଷି ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ୨୦୨୬ର ପ୍ରଚଣ୍ଡ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଘରୋଇ ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛନ୍ତି। ମୌସୁମୀ ପହଞ୍ଚିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବିଲ୍ ପୈଠ ନକରିବାକୁ ନେଇ କୌଣସି ଡିସକମ୍ ଦ୍ୱାରା ଅଘୋଷିତ ବିଦ୍ୟୁତ୍ କାଟ୍ କରାଯିବ ନାହିଁ। କେବଳ ଅତ୍ୟାବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସାମୟିକ ଭାବେ ବିଦ୍ୟୁତ୍ ବନ୍ଦ ହୋଇପାରିବ। ସେହିପରି ସମସ୍ତ ପୂର୍ବ ନିର୍ଦ୍ଧାରିତ ବିଦ୍ୟୁତ୍ କାଟ୍ ବିଷୟରେ ଗ୍ରାହକଙ୍କୁ ପୂର୍ବରୁ SMS ଆଲର୍ଟ ଓ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ମାଧ୍ୟମରେ ସୂଚନା ଦେବାକୁ ବାଧ୍ୟତାମୂଳକ କରାଯାଇଛି।ଶ୍ରୀ ସିଂହଦେଓ ଶକ୍ତି ବିଭାଗ ଓ ବିତରଣ କମ୍ପାନୀମାନଙ୍କୁ ଏହି ନିର୍ଦ୍ଦେଶ ବିଷୟରେ ସମସ୍ତ କର୍ମଚାରୀଙ୍କୁ ଅବଗତ କରାଇବାକୁ କହିଛନ୍ତି।
ଏହା ସହ ନିୟମଗୁଡ଼ିକର କଡ଼ାକଡ଼ି ଅନୁପାଳନ ପାଇଁ ଦୃଢ଼ ମନିଟରିଂ ବ୍ୟବସ୍ଥା ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।ଏହି ପଦକ୍ଷେପ ଦ୍ୱାରା ତୀବ୍ର ଗ୍ରୀଷ୍ମରେ ଘରୋଇ ଗ୍ରାହକମାନେ ବଡ଼ ଆଶ୍ୱସ୍ତି ପାଇବେ ବୋଲି ସରକାର ଆଶା ପ୍ରକାଶ କରିଛି। ଏହାର କାର୍ଯ୍ୟାନୁଷ୍ଠାନ ଓ ସମୀକ୍ଷା ପାଇଁ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

