Thu. Apr 16th, 2026

ନ୍ୟୁଜ ଡେକ୍ସ : ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଆହୁରି ସୁଗମ ଓ ସୁବିଧାଜନକ କରିବା ପାଇଁ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ। ଶ୍ରଦ୍ଧାଳୁମାନଙ୍କ ଭିଡ଼ ନିୟନ୍ତ୍ରଣ ସହ ସମୟୋପଯୋଗୀ ଦର୍ଶନ ସୁବିଧା ପ୍ରଦାନ ପାଇଁ ଖୁବ ଶୀଘ୍ର ସ୍ଲଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି।

ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ଭକ୍ତମାନେ ଅନଲାଇନ୍ ମାଧ୍ୟମରେ ନିଜର ଦର୍ଶନ ସମୟ ପୂର୍ବରୁ ବୁକ୍ କରିପାରିବେ। ଏହା ଫଳରେ ନିର୍ଦ୍ଧାରିତ ସମୟରେ ସେମାନେ ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଓ ଲମ୍ବା ଲାଇନରେ ଦଣ୍ଡାୟମାନ ହେବାର ଅସୁବିଧା କମିବ।ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ଆହୁରି ସୁଚାରୁ କରିବା ପାଇଁ ବିଭିନ୍ନ ମାର୍ଗ ଉପରେ ଚିନ୍ତା ଚର୍ଚ୍ଚା ଚାଲିଛି। ସେହିପରି, ପାରମ୍ପରିକ ଧାଡି ଦର୍ଶନ ସହିତ ସ୍ଲଟ୍ ବୁକିଂ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ସମାନ ଭାବେ ଜାରି ରଖାଯିବ।

ଏହା ଦ୍ୱାରା ଦୁଇ ପ୍ରକାରର ବ୍ୟବସ୍ଥାରେ ଭକ୍ତମାନେ ଦର୍ଶନ କରିପାରିବେ।ସ୍ଲଟ୍ ବୁକିଂ କରିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅଲଗା ହୋଲଡିଂ ଏରିଆ ବ୍ୟବସ୍ଥା କରାଯିବ। ସେଠାରୁ ସେମାନେ ନିଜର ବୁକ୍ କରାଯାଇଥିବା ସମୟ ଅନୁଯାୟୀ ଦର୍ଶନ ପାଇଁ ପ୍ରବେଶ କରିପାରିବେ। ପ୍ରଥମେ ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବା ପରେ, ତାହାର ସଫଳତା ଓ ପ୍ରଭାବ ଅନୁଧ୍ୟାନ କରି ପୂର୍ଣ୍ଣ ରୂପେ ଲାଗୁ କରାଯିବ।ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ମ୍ୟାନେଜିଂ କମିଟି ସହ ଆଲୋଚନା ହୋଇସାରିଛି ଏବଂ ଶୀଘ୍ର ଏହା ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସେହିପରି, ଧାଡି ଦର୍ଶନ ପାଇଁ ଏକ ନୂତନ ଏସଓପି ମଧ୍ୟ ପ୍ରସ୍ତୁତ ହୋଇଛି, ଯାହାକୁ ଖୁବ ଶୀଘ୍ର ଲାଗୁ କରାଯିବ।ଅନ୍ୟପଟେ, ମନ୍ଦିରର ନାଟମଣ୍ଡପକୁ ଏୟାର କଣ୍ଡିସନିଂ କରିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହା ଦ୍ୱାରା ଗ୍ରୀଷ୍ମ ଋତୁରେ ଭକ୍ତମାନେ ଅଧିକ ସୁବିଧା ଅନୁଭବ କରିପାରିବେ।ବର୍ତ୍ତମାନ ବ୍ୟବସ୍ଥା ଅନୁଯାୟୀ, ଏକ ସମୟରେ ପ୍ରାୟ ସାଢେ ଚାରି ହଜାରରୁ ପାଞ୍ଚ ହଜାର ଶ୍ରଦ୍ଧାଳୁ ମନ୍ଦିରରେ ଦର୍ଶନ କରିପାରୁଛନ୍ତି। ନୂଆ ସ୍ଲଟ୍ ବୁକିଂ ବ୍ୟବସ୍ଥା ଲାଗୁ ହେଲେ ଏହି ସମ୍ଭାବନା ଆହୁରି ସୁସଂଗଠିତ ହେବା ସହ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳା ବଜାୟ ରଖିବାରେ ବଡ଼ ସହାୟତା ମିଳିବ। ସରକାରଙ୍କ ଏହି ପଦକ୍ଷେପକୁ ଶ୍ରଦ୍ଧାଳୁମାନଙ୍କ ସୁବିଧା ଓ ଶ୍ରୀମନ୍ଦିରର ଶୃଙ୍ଖଳାବଦ୍ଧ ପରିଚାଳନା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

Leave a Reply

Your email address will not be published. Required fields are marked *