ନ୍ୟୁଜ ଡେକ୍ସ : ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ର କାର୍ଯ୍ୟକ୍ଷମତାକୁ ଆରୋହଣ କରିବା ନିମନ୍ତେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିରନିଷ୍ପତ୍ତି ନେଇଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୭୨ଟି ନୂତନ ପଦବୀ ସୃଷ୍ଟି ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଫଳରେ କମିଶନର ପ୍ରଶାସନିକ ଓ କାର୍ଯ୍ୟକାରିତାରେ ଦ୍ରୁତଗତି ଆସିବାକୁ ଆଶା କରାଯାଉଛି।
ଏହି ନୂତନ ପଦବୀଗୁଡ଼ିକ ମଧ୍ୟରେ ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପ-ସଚିବ ଓ ଅନୁ-ସଚିବ ପର୍ଯ୍ୟନ୍ତ ଉଚ୍ଚ ପଦବୀ ଅନ୍ତର୍ଭୁକ୍ତ ଅଛି। ସେହିପରି ସେକ୍ସନ ଅଫିସର, ପ୍ରୋଗ୍ରାମର ସହ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ପଦବୀ ମଧ୍ୟ ଏଥିରେ ସୃଷ୍ଟି କରାଯାଇଛି। ସଚିବ ପଦବୀରେ ଜଣେ OAS ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ବୋଲି ଜଣାପଡ଼ିଛି।ରାଜ୍ୟପାଳଙ୍କ ଅନୁମୋଦନ ସହ ଏହି ପଦକ୍ଷେପକୁ ଅନୁଷ୍ଠାନିକ ମଞ୍ଜୁରୀ ମିଳିଥିବା ବେଳେ, ସମସ୍ତ ସମ୍ପୃକ୍ତ ବିଭାଗକୁ ଏହି ପଦବୀଗୁଡ଼ିକୁ କ୍ୟାଡରଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ଏହା ଫଳରେ ପଦବୀଗୁଡ଼ିକର ସଂଗଠନାତ୍ମକ ବ୍ୟବସ୍ଥା ଆହୁରି ସୁସ୍ପଷ୍ଟ ଓ ସୁସଂଗଠିତ ହେବ।
ଏହି ସମସ୍ତ ପଦବୀକୁ ଓଡ଼ିଶା ସଂଶୋଧିତ ଦରମା ସ୍କେଲ୍ (ORSP) ନିୟମ ୨୦୧୭ ଅନୁଯାୟୀ ବର୍ଗୀକୃତ କରାଯାଇଛି। ଏହା ମାଧ୍ୟମରେ କର୍ମଚାରୀମାନଙ୍କ ପାଇଁ ସଂଗଠିତ ଦରମା ଗଠନ ଓ ସେବା ସୁବିଧା ସୁନିଶ୍ଚିତ ହେବ।ଉଲ୍ଲେଖନୀୟ ଯେ, OUSSSC ରାଜ୍ୟର ୟୁନିଫର୍ମଡ୍ ସର୍ଭିସେସ୍ ପାଇଁ ନିଯୁକ୍ତି ପରିଚାଳନାରେ ମୁଖ୍ୟ ଭୂମିକା ନିଭାଉଛି। ଏହି ନୂତନ ପଦବୀ ସୃଷ୍ଟି ଫଳରେ ନିଯୁକ୍ତି ପ୍ରକ୍ରିୟା ଆହୁରି ସ୍ୱଚ୍ଛ, ଦ୍ରୁତ ଓ କାର୍ଯ୍ୟକ୍ଷମ ହେବା ସହ ଯୁବ ପ୍ରାର୍ଥୀମାନଙ୍କ ପାଇଁ ସୁଯୋଗ ବଢ଼ିବାକୁ ମଧ୍ୟ ଆଶା କରାଯାଉଛି।ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶାସନିକ ସୁଧାର ଓ କାର୍ଯ୍ୟକ୍ଷମତା ବୃଦ୍ଧି ଦିଗରେ ଏକ ମାଇଲସ୍ଟୋନ୍ ବୋଲି ମନେ କରାଯାଉଛି।

