ନ୍ୟୁଜ ଡେକ୍ସ : କଟକ ରେଳ ଷ୍ଟେସନରୁ ଆଉଥରେ ନାବାଳକ ଉଦ୍ଧାର ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ସନ୍ଧ୍ୟାରେ ହାୱଡା-ପୁରୀ ଧଉଳି ଏକ୍ସପ୍ରେସ୍ରୁ ୫୯ ଜଣ ନାବାଳକଙ୍କୁ ଉଦ୍ଧାର କରିଛି ଆରପିଏଫ। ଏହା ସହ ଗତ ସପ୍ତାହରେ ଦୁଇଟି ପର୍ଯ୍ୟାୟରେ ମୋଟ ୭୧ ଜଣ ନାବାଳକଙ୍କୁ କଟକ ଷ୍ଟେସନରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।ସୂଚନାନୁସାରେ, ସନ୍ଧ୍ୟା ପ୍ରାୟ ସାଢେ ଛଅଟା ବେଳେ ପ୍ଲାଟଫର୍ମ ନମ୍ବର ୪ରେ ଟ୍ରେନ୍ ଅଟକିବା ପରେ ୫୯ ଜଣ ପିଲା ଏକାଠି ଓହ୍ଲାଇଥିଲେ।
ସନ୍ଦେହ ହେବାରୁ ଆରପିଏଫ ଟିମ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। କିନ୍ତୁ ସେମାନେ ସଠିକ ସୂଚନା ଦେଇପାରିନଥିବାରୁ ସେମାନଙ୍କୁ ଚାଇଲଡ୍ ଲାଇନ୍ ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା।ପୋଲିସ ସୂଚନା ଅନୁଯାୟୀ, ଏହି ପିଲାମାନଙ୍କର ବୟସ ୭ରୁ ୧୩ ବର୍ଷ ମଧ୍ୟରେ ଅଛି ଏବଂ ସେମାନେ ବିହାରର ଅରରିଆ ଭଳି ପଛୁଆ ଅଞ୍ଚଳରୁ ଆସିଥିବା କୁହାଯାଉଛି। ଜଗତସିଂହପୁରର ଏକ ମଦ୍ରାସାରେ ପଢ଼ାଇବା ପାଇଁ ନେଯାଉଥିବା କୁହାଯାଇଥିଲେ ମଧ୍ୟ ସେଥିପାଇଁ କୌଣସି ବୈଧ ପ୍ରମାଣପତ୍ର ସେମାନଙ୍କ ପାଖରେ ନଥିଲା। ପିଲାମାନଙ୍କ ପାଖରେ କେବଳ ସ୍ଥାନୀୟ ସରପଞ୍ଚଙ୍କ ଲେଖା ଗୋଟିଏ ପତ୍ର ମିଳିଥିଲା, ଯାହାକୁ ପ୍ରାମାଣିକ ଡକ୍ୟୁମେଣ୍ଟ ଭାବେ ଗ୍ରହଣ କରାଯାଇନି।
ଏହାକୁ ଦେଖି ଶିଶୁ ପାଚାର ସନ୍ଦେହ ଜୋରଦାର ହୋଇଛି। ରଘୁନାଥପୁର ଓ ଚାନ୍ଦପୁର ଅଞ୍ଚଳର କିଛି ମୌଲବୀ ଓ ଦଲାଲ ଗରିବ ପରିବାରକୁ ଲକ୍ଷ୍ୟ କରି ଏଭଳି କାର୍ଯ୍ୟରେ ଜଡିତ ଥିବା ଆଶଙ୍କା କରାଯାଉଛି।ଉଦ୍ଧାର ହୋଇଥିବା ସମସ୍ତ ପିଲାଙ୍କୁ ବର୍ତ୍ତମାନ ବାଳାଶ୍ରମରେ ରଖାଯାଇଛି ଏବଂ ପରବର୍ତ୍ତୀ ତଦନ୍ତ ପାଇଁ ସେମାନଙ୍କୁ ଚାଇଲଡ୍ ୱେଲଫେୟାର କମିଟିଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାକୁ ନେଇ ଆରପିଏଫ ଓ ପୋଲିସ ଆହୁରି ତଦନ୍ତ ଜାରି ରଖିଛନ୍ତି ।

