Thu. Apr 16th, 2026

ନ୍ୟୁଜ ଡେକ୍ସ : ସୁବର୍ଣ୍ଣପୁର ସହରରେ ପୋଲିସ ବଡ ସଫଳତା ହାସଲ କରିଛି। ଗାଡ଼ିରୁ ୮ ଲକ୍ଷରୁ ଅଧିକ ଟଙ୍କାର ଜାଲ ନୋଟ୍ ଜବତ କରାଯାଇଥିବାବେଳେ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ଉଭୟଙ୍କ ପାଖରୁ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ।ସୂଚନାନୁସାରେ, ସୋନପୁର ଥାନା ପୋଲିସ ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ବ୍ଲକ ଛକ ନିକଟରେ ଓଡି-୩୪ଜେଡ୍-୧୯୧୯ ନମ୍ବର ବିଶିଷ୍ଟ ଏକ କଳା ରଙ୍ଗର ସ୍କର୍ପିଓ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା।

ଯାଞ୍ଚ ସମୟରେ ଗାଡ଼ି ଭିତରେ ଥିବା ଗୋଟିଏ ନାଲି ବ୍ୟାଗରୁ ବହୁ ପରିମାଣର ଜାଲ ନୋଟ୍ ମିଳିଥିଲା।ସେହି ବ୍ୟାଗରୁ ୧୬୯୫ଟି ୫୦୦ ଟଙ୍କିଆ ନୋଟ୍ ମିଳିଥିଲା, ଯାହାର ମୋଟ ମୂଲ୍ୟ ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କା। ପୋଲିସ ଯାଞ୍ଚ କରିବା ପରେ ସମସ୍ତ ନୋଟ୍ ଜାଲ ବୋଲି ସ୍ପଷ୍ଟ ହୋଇଥିଲା।ଏହି ଘଟଣାରେ ପୋଲିସ ଯାଜପୁର ଜିଲ୍ଲା ଯଖପୁର ଅଞ୍ଚଳର ଅଭିଳାଷ ପୁରୁଷୋତ୍ତମ ଶତପଥୀ ଓରଫ ଲିବୁନ୍ ଓ ନୟାଗଡ଼ ଜିଲ୍ଲା ଖଣପା ଥାନା ଅନ୍ତର୍ଗତ ମର୍ଦ୍ଦରାଜପୁର ଗ୍ରାମର ପ୍ରଶାନ୍ତ ଦାସଙ୍କୁ ଗିରଫ କରିଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ସେମାନେ ବରଗଡ଼ ଜିଲ୍ଲାରୁ ଏହି ଜାଲ ନୋଟ୍ ସଂଗ୍ରହ କରି ସୁବର୍ଣ୍ଣପୁର ସହିତ ଅନ୍ୟାନ୍ୟ ଅଞ୍ଚଳକୁ ଚାଲାଣ କରୁଥିଲେ।ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।ଏସ୍‌ପିଙ୍କ କହିବା ଅନୁସାରେ, ଜାଲ ନୋଟ୍ କାରବାର ସମ୍ପର୍କରେ ଗୋଇନ୍ଦା ସୂଚନା ମିଳିଥିବାରୁ ସହରରେ ପେଟ୍ରୋଲିଂ କଡାକଡି କରାଯାଇଥିଲା। ଜବତ ନୋଟଗୁଡିକୁ ଦେଖିଲେ ଖାଲି ଆଖିରେ ମଧ୍ୟ ଜାଲ ବୋଲି ଚିହ୍ନଟ ହେଉଥିଲା, କାରଣ ସବୁ ନୋଟର କ୍ରମିକ ସଂଖ୍ୟା ୦୦୦୦୦୦ ଥିଲା।

Leave a Reply

Your email address will not be published. Required fields are marked *