ନ୍ୟୁଜ ଡେକ୍ସ : ନୂଆ ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ଓଡ଼ିଶାର ରାଜନୈତିକ ପ୍ରଭାବ ହ୍ରାସ ପାଇବାର ଆଶଙ୍କା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଛନ୍ତି।
ନବୀନଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ‘ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬’ ଦ୍ୱାରା ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇବା ସତ୍ତ୍ୱେ ଓଡ଼ିଶାର ପ୍ରତିନିଧିତ୍ୱ କମିଯିବ। ବର୍ତ୍ତମାନ ସଂସଦରେ ରାଜ୍ୟର ଅଂଶ ୩.୯ ପ୍ରତିଶତ ଥିବା ବେଳେ ଏହା ୩.୪ ପ୍ରତିଶତକୁ ହ୍ରାସ ପାଇବ, ଯାହା ମୋଟେ ୧୫ ପ୍ରତିଶତ ରାଜନୈତିକ ପ୍ରଭାବ କମିବା ସମାନ ବୋଲି ସେ କହିଛନ୍ତି।ସେ ଅଭିଯୋଗ କରିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶରେ ଭଲ କାମ କରୁଥିବା ଓଡ଼ିଶା ଭଳି ରାଜ୍ୟମାନଙ୍କୁ ଏହି ବିଲ୍ ମାଧ୍ୟମରେ ଅନ୍ୟାୟ ଭାବେ ପ୍ରଭାବିତ କରାଯାଉଛି। ଏହି ସମ୍ବେଦନଶୀଳ ବିଷୟରେ ଆଲୋଚନା ପାଇଁ ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ଦାବି କରିଛନ୍ତି।
ରାଜ୍ୟର ୪.୫ କୋଟି ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ସର୍ବସମ୍ମତ ସଂକଳ୍ପ ପାରିତ କରିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି।ନବୀନ ପଟ୍ଟନାୟକ ଏହାମଧ୍ୟ କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍କୁ ବିଜେଡି ସମର୍ଥନ କରୁଥିବା ସତ୍ତ୍ୱେ ଏହାର ଆଡ଼ରେ ଓଡ଼ିଶାର କ୍ଷମତା କମାଇବା ଚେଷ୍ଟା ସଂଘୀୟ ବ୍ୟବସ୍ଥା ବିରୋଧୀ।ସେ ସତର୍କ କରି କହିଛନ୍ତି ଯେ ଯଦି ଏବେ ଏହାର ବିରୋଧ କରାଯିବ ନାହିଁ, ତେବେ ଭବିଷ୍ୟତର ପିଢ଼ି ଏହାକୁ କେବେ ବି କ୍ଷମା କରିବେ ନାହିଁ। ଶେଷରେ ସେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ସ୍ୱାର୍ଥ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଆହ୍ୱାନ କରିଛନ୍ତି।

