Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ପ୍ରଶାସନକୁ ଅଧିକ ପ୍ରଭାବଶାଳୀ, ସ୍ଵଚ୍ଛ ଓ ଦାୟିତ୍ବସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଓଡିଶା ସରକାର ଓଏଏସ୍ ଗ୍ରୁପ-ଏ (କନିଷ୍ଠ ବର୍ଗ) ଓ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ଓ ପୋଷ୍ଟିଂ ନୀତି ଜାରି କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼. ଅରବିନ୍ଦ ପାଢ଼ୀଙ୍କ ଦ୍ୱାରା ଏହି ନିର୍ଦ୍ଦେଶ ପ୍ରକାଶିତ ହୋଇଛି।

ନୂତନ ନୀତି ଅନୁଯାୟୀ ପ୍ରତିବର୍ଷ ୧୫ ଏପ୍ରିଲ୍ ଠାରୁ ୧୫ ଜୁନ୍ ମଧ୍ୟରେ ସାଧାରଣ ବଦଳି କାର୍ଯ୍ୟ ସମ୍ପନ୍ନ ହେବ। ଏହା ବ୍ୟତୀତ ଅନ୍ୟ ସମୟରେ ବଦଳି ପାଇଁ ଉଚ୍ଚତର କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ। ଏକ ସ୍ଥାନରେ ଅଧିକାରୀମାନଙ୍କ ରହିବା ସମୟ ସର୍ବନିମ୍ନ ୨ ବର୍ଷ ଓ ସର୍ବାଧିକ ୩ ବର୍ଷ ନିର୍ଦ୍ଧାରିତ କରାଯାଇଛି।ବଦଳି ଆଦେଶ ପାଇବା ପରେ ୭ ଦିନ ମଧ୍ୟରେ ଅଧିକାରୀମାନେ ରିଲିଫ୍ ହେବେ ଏବଂ ନୂତନ ସ୍ଥାନରେ ୭ ଦିନ ମଧ୍ୟରେ ଯୋଗଦେବାକୁ ପଡିବ। ଯଦି ଏହା ହେଉନାହିଁ, ତେବେ ୮ମ ଦିନରୁ ସେମାନେ ସ୍ୱତଃ ରିଲିଭ୍ ହୋଇଛନ୍ତି ବୋଲି ଗଣାଯିବ। ଏହି ନୀତିରେ କୁହାଯାଇଛି ଯେ କୌଣସି ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ଏବଂ ସମୁଦାୟ ସେବା ଅବଧିରେ ୧୦ ବର୍ଷରୁ ଅଧିକ ସମୟ କାମ କରିପାରିବେ ନାହିଁ।

ଘରୋଇ ଜିଲ୍ଲାରେ ପୋଷ୍ଟିଂ ପାଇଁ ନିଷେଧ ଜାରି ହୋଇଥିବା ବେଳେ ବିଶେଷ ପରିସ୍ଥିତିରେ ଛାଡ଼ ଦିଆଯାଇପାରେ।ଦିବ୍ୟାଙ୍ଗ ଅଧିକାରୀମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା ରହିଛି, ଯେଉଁଠାରେ ୪୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ଦିବ୍ୟାଙ୍ଗ ଥିବା ଅଧିକାରୀଙ୍କ ବଦଳି ସେମାନଙ୍କ ଅନୁରୋଧ ଅନୁଯାୟୀ ବିଚାର କରାଯିବ। ସେହିପରି ଦମ୍ପତି ମାମଲାରେ ନିକଟସ୍ଥ ସ୍ଥାନରେ ପୋଷ୍ଟିଂ ପାଇଁ ବିଚାର ହେବ, ଯଦିଓ ଏହାକୁ ଅଧିକାର ଭାବେ ଦାବି କରାଯିବ ନାହିଁ।କେବିକେ ଅଞ୍ଚଳରେ ସେବାକୁ ଗୁରୁତ୍ୱ ଦେଇ ସେଠାରେ ଅନ୍ୟୂନ ୩ ବର୍ଷ କାମ କଲେ ଅନ୍ୟ ଜିଲ୍ଲାକୁ ବଦଳି ବିଚାର କରାଯିବ। ଅଧିକାରୀମାନଙ୍କୁ ବଦଳି ପାଇଁ କୌଣସି ପ୍ରକାର ସୁପାରିଶ କରିବାକୁ ମନା କରାଯାଇଛି।ଏହା ସହିତ ସମସ୍ତ ଅଧିକାରୀଙ୍କୁ ସେବାର ପ୍ରଥମ ୬ ବର୍ଷ ମଧ୍ୟରେ କ୍ଷେତ୍ରସ୍ତରର ଅନୁଭବ ଅର୍ଜନ କରିବା ନିବାର୍ଯ୍ୟ କରାଯାଇଛି।

ବଦଳି ସମ୍ପର୍କିତ ସମସ୍ତ ଅନୁରୋଧ ଏକ କମିଟି ଦ୍ୱାରା ପରୀକ୍ଷା କରାଯିବ। ସରକାର ସ୍ପଷ୍ଟ କରିଛନ୍ତି ଯେ କୌଣସି ଅଧିକାରୀ ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟିଂ ପାଇଁ ଦାବି କରିପାରିବେ ନାହିଁ ଏବଂ ସମସ୍ତଙ୍କୁ ନୂତନ ନୀତି ଅନୁସରଣ କରିବାକୁ ପଡିବ। ଏହି ନୀତି ପୂର୍ବରୁ ଜାରି ସମସ୍ତ ନିର୍ଦ୍ଦେଶକୁ ରଦ୍ଦ କରି ତୁରନ୍ତ କାର୍ଯ୍ୟକାରୀ ହେବ।

Leave a Reply

Your email address will not be published. Required fields are marked *