ନ୍ୟୁଜ ଡେକ୍ସ : CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପ ସହିତ cbse.gov.in, results.cbse.nic.in ଓ results.digilocker.gov.in ମାଧ୍ୟମରେ ଫଳାଫଳ ଯାଞ୍ଚ କରିପାରିବେ। ଚଳିତ ବର୍ଷ ମୋଟ ପାସ୍ ହାର ୯୩.୭୦ ପ୍ରତିଶତ ରହିଛି, ଯାହା ଗତବର୍ଷର ୯୩.୬୬ ପ୍ରତିଶତ ତୁଳନାରେ ୦.୦୪ ପ୍ରତିଶତ ବୃଦ୍ଧି ପାଇଛି।
ଚଳିତ ବର୍ଷ ମଧ୍ୟ ପୁଅମାନଙ୍କୁ ପଛକୁ ଛାଡ଼ି ଝିଅମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ଦେଶରୁ ପ୍ରାୟ ୨୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ।ସୂଚନାଯୋଗ୍ୟ ଯେ, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଏହି ପରୀକ୍ଷା ଫେବୃଆରି ୧୭ରୁ ୨୭ ମଧ୍ୟରେ ଦେଶର ୮୦୭୫ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ମୋଟ ୨୫,୦୮,୩୧୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ, ଯାହାରୁ ୧୪,୦୮,୫୪୬ ଜଣ ଛାତ୍ର ଏବଂ ୧୦,୯୯,୭୭୩ ଜଣ ଛାତ୍ରୀ ଥିଲେ।
ପ୍ରାୟ ୨୪,୭୧,୦୦୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଏହାସହ CBSE ପ୍ରଥମ ଥର ପାଇଁ ଦଶମ ବୋର୍ଡ ପାଇଁ ଦ୍ୱିତୀୟ ପରୀକ୍ଷା ଆୟୋଜନ କରିବାକୁ ଘୋଷଣା କରିଛି। ଏହି ପରୀକ୍ଷା ମେ ୧୫ରୁ ଜୁନ୍ ୧ ପର୍ଯ୍ୟନ୍ତ ହେବ। ପ୍ରଥମ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ସର୍ବାଧିକ ୩ଟି ବିଷୟରେ ଏହି ଦ୍ୱିତୀୟ ପରୀକ୍ଷା ଦେଇପାରିବେ।ଏପରି ସମୟରେ କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।

