Fri. Jun 5th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦେଖାଦେଇଥିବା ତୈଳ ସଂକଟ ଓ ପେଟ୍ରୋଲ ପମ୍ପଗୁଡ଼ିକରେ ଅସ୍ୱାଭାବିକ ଭିଡ଼କୁ ନେଇ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ ବର୍ତ୍ତମାନ କୌଣସି ତେଲ ଅଭାବ ନଥିବା ସେ ସ୍ପଷ୍ଟ କରିଥିବା ବେଳେ ଆଗାମୀ ୧୩ ଦିନ ପାଇଁ ପର୍ଯ୍ୟାପ୍ତ ପରିମାଣର ତେଲ ମହଜୁଦ ରହିଥିବା କହିଛନ୍ତି। ତେଣୁ ସାଧାରଣ ଲୋକଙ୍କୁ ଭୟଭୀତ ନ ହେବା ସହ ଅଯଥା ତେଲ ମହଜୁଦ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, କିଛି ଗୁଜବ ଓ ଆତଙ୍କ ଯୋଗୁଁ ଲୋକମାନେ ପେଟ୍ରୋଲ ପମ୍ପରେ ଭିଡ଼ କରି ଆବଶ୍ୟକତାଠାରୁ ଅଧିକ ତେଲ କିଣୁଛନ୍ତି। ଫଳରେ କେତେକ ସ୍ଥାନରେ ଅସ୍ଥାୟୀ ଅସୁବିଧା ସୃଷ୍ଟି ହେଉଛି। କିନ୍ତୁ ରାଜ୍ୟ କିମ୍ବା ଦେଶରେ ତେଲର କୌଣସି ଅଭାବ ନଥିବାରୁ ଲୋକମାନେ କୌଣସି ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସେ ଅନୁରୋଧ କରିଛନ୍ତି।ଘରେ ପେଟ୍ରୋଲ କିମ୍ବା ଡିଜେଲ କିଣି ମହଜୁଦ ରଖିବାକୁ ନେଇ ମଧ୍ୟ ମନ୍ତ୍ରୀ ସତର୍କ କରାଇଛନ୍ତି। ଆବଶ୍ୟକତା ଅନୁସାରେ ଯେତିକି ଦରକାର ସେତିକି ମାତ୍ରାରେ ତେଲ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଅଯଥା ଆତଙ୍କ ସୃଷ୍ଟି କରି ବହୁ ପରିମାଣରେ ତେଲ ସଂଗ୍ରହ କରିବା ଫଳରେ ସାଧାରଣ ଲୋକ ଅସୁବିଧାରେ ପଡ଼ୁଥିବା ସେ କହିଛନ୍ତି।

ଅନ୍ୟପଟେ ଅସାଧୁ ବ୍ୟବସାୟୀ ଓ ବେଆଇନ ଭାବେ ତୈଳ ମହଜୁଦ କରୁଥିବା ଲୋକଙ୍କ ଉପରେ ସରକାରଙ୍କ କଡ଼ା ନଜର ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଯେଉଁଠାରେ ବେଆଇନ ଭାବେ ତୈଳ ଗଚ୍ଛିତ ରଖାଯାଇଥିବା ସୂଚନା ମିଳିବ, ସେଠାରେ ଚଢ଼ାଉ କରାଯିବ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।ପେଟ୍ରୋଲ ପମ୍ପଗୁଡ଼ିକରେ ଅଧିକ ଭିଡ଼କୁ ନଜରରେ ରଖି କେତେକ ଟାଙ୍କିରେ ସୀମିତ ପରିମାଣରେ ତେଲ ବିକ୍ରି କରାଯାଉଛି।

ଏହା ଫଳରେ ସମସ୍ତ ଗ୍ରାହକଙ୍କୁ ତେଲ ଯୋଗାଣ ସୁନିଶ୍ଚିତ କରିବା ସମ୍ଭବ ହେବ ବୋଲି ପମ୍ପ ମାଲିକମାନେ କହିଛନ୍ତି। ତେବେ ଏହାକୁ ନେଇ ସାଧାରଣ ଲୋକ ଅସ୍ଥିର ନ ହେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।ରାଜ୍ୟ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଥିବା ବେଳେ ତେଲ ଯୋଗାଣ ସ୍ୱାଭାବିକ ରହିବା ପାଇଁ ପଦକ୍ଷେପ ନିଆଯାଉଛି। ତେଣୁ ଲୋକମାନେ ଆତଙ୍କିତ ନ ହୋଇ ସାଧାରଣ ଭାବେ ତେଲ କିଣିବାକୁ ଯୋଗାଣ ମନ୍ତ୍ରୀ ପୁଣିଥରେ ଅପିଲ କରିଛନ୍ତି।

Leave a Reply

Your email address will not be published. Required fields are marked *