Thu. Jun 4th, 2026

ନ୍ୟୁଜ ଡେକ୍ସ : ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରୁ ବିଶୃଙ୍ଖଳାର ସୂଚନା ସାମ୍ନାକୁ ଆସିଛି। ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରାଙ୍କ ମଧ୍ୟରେ ରତ୍ନଭଣ୍ଡାର ଭିତରେ ଧସ୍ତାଧସ୍ତି ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣେ ମେକାପ ସେବକଙ୍କୁ ନିଲମ୍ବନ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ସେବା ଓ ପୂଜା କାର୍ଯ୍ୟରୁ ନିଲମ୍ବିତ ରହିବେ।

ସୂଚନା ଅନୁଯାୟୀ, ବରିଷ୍ଠ ଅଧିକାରୀ, ତଦାରଖ କମିଟି ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଭଣ୍ଡାର ମେକାପ ସେବକ ମଧୁସୂଦନ ମେକାପ ଓ ତାଙ୍କ ପୁତୁରା ନାରାୟଣ ମେକାପଙ୍କ ମଧ୍ୟରେ ହାତାହାତି ହୋଇଥିଲା। ପାଳିକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ମଙ୍ଗଳବାର ରତ୍ନଭଣ୍ଡାର ଭିତରକୁ ପ୍ରବେଶ ପରେ ପୁରୁଣା କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ ଧସ୍ତାଧସ୍ତିର ରୂପ ନେଇଥିଲା। ପ୍ରଶାସନିକ ଅଧିକାରୀ ଓ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଏହି ଘଟଣା ଯୋଗୁଁ ରତ୍ନଭଣ୍ଡାର ଗଣତି କାର୍ଯ୍ୟ କୌଣସି ପ୍ରଭାବିତ ହୋଇନି। ପୂର୍ବ ବିବାଦକୁ ନେଇ ଏହି ଘଟଣା ଘଟିଥିବାବେଳେ ଉଭୟ ପକ୍ଷ ଆଲୋଚନା ମାଧ୍ୟମରେ ସମାଧାନ କରିନେବା ଉଚିତ ବୋଲି ସେ କହିଛନ୍ତି।ଘଟଣା ପରେ ନାରାୟଣ ମେକାପଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟକୁ ନେଇ ପ୍ରଶାସନ ପକ୍ଷରୁ ପଚରାଉଚରା କରାଯାଇଛି। ଏପଟେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ସପ୍ତମ ଦିନରେ ପହଞ୍ଚିଥିବାବେଳେ ଆଜି ବନକ ଲାଗି ନୀତି ଯୋଗୁଁ ଗଣତି କାର୍ଯ୍ୟ ସ୍ଥଗିତ ରହିବ। ପୁଣି ୨୧ ତାରିଖରେ ଗଣତି କାର୍ଯ୍ୟ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *