ନ୍ୟୁଜ ଡେକ୍ସ : ଆସନ୍ତା ଜୁନ୍ ମାସରୁ ଓଡ଼ିଶାରେ ପ୍ରଥମଥର ପାଇଁ ‘ମହୁମାଛି କରିଡର’ ପ୍ରକଳ୍ପ ଆରମ୍ଭ ହେବ। ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ମୌସୁମୀ ବର୍ଷା ଆରମ୍ଭ ସହ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, ବ୍ରହ୍ମପୁର ଓ ଢେଙ୍କାନାଳର ୩୦ କିଲୋମିଟର ଜାତୀୟ ରାଜପଥ ପାର୍ଶ୍ୱକୁ ଚିହ୍ନଟ କରାଯାଇଛି।
ଏହି କରିଡର ଅଧୀନରେ ପ୍ରାୟ ୨୦ ହଜାର ଗଛ ଲଗାଯିବ। ନିମ୍ବ, କରଞ୍ଜ, ଅର୍ଜୁନ, କଦମ୍ବ, ଜାମୁ, ତେନ୍ତୁଳି ଓ କାଞ୍ଚନ୍ ପରି ଗଛ ଲଗାଯିବାକୁ ଯୋଜନା ହୋଇଛି। ଏହି ଗଛଗୁଡ଼ିକରେ ବର୍ଷର ବିଭିନ୍ନ ସମୟରେ ଫୁଲ ଫୁଟିବା ସହ ମହୁମାଛିଙ୍କ ପାଇଁ ରସ ଓ ପରାଗର ସୁବିଧା ମିଳିବ। ଏଥିସହ ଗୁଳ୍ମ, ଔଷଧୀୟ ଉଦ୍ଭିଦ ଓ ଘାସ ମଧ୍ୟ ଚାଷ କରାଯିବ।ଓଡ଼ିଶା ଏନ୍ଏଚ୍ଏଆଇର ଆଞ୍ଚଳିକ ଅଧିକାରୀ ପ୍ରଦୀପ କୁମାର ଲାଲ କହିଛନ୍ତି ଯେ, ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ପରିବେଶ ସୁରକ୍ଷା ସହ ମହୁମାଛିଙ୍କୁ ଆକୃଷ୍ଟ କରିବା। ବର୍ଷସାରା ଫୁଲ ଫୁଟୁଥିବା ଗଛ ଲଗାଯାଇ ମହୁଚାଷକୁ ଉତ୍ସାହିତ କରାଯିବ।
ଏହା ଦ୍ୱାରା ପ୍ରାକୃତିକ ସନ୍ତୁଳନ ରକ୍ଷା ପାଇବା ସହ ଜୈବ ବିବିଧତା ମଧ୍ୟ ବୃଦ୍ଧି ପାଇବ।ପ୍ରକଳ୍ପ ଅନୁସାରେ ଫମ୍ପା ଗଛର ଗଣ୍ଡିକୁ ନଷ୍ଟ କରାଯିବ ନାହିଁ। ସେଥିରେ ମହୁମାଛିଙ୍କ ବାସସ୍ଥାନ ସୃଷ୍ଟି କରାଯିବ। ପ୍ରତ୍ୟେକ ସ୍ଥାନରେ ଦୁଇରୁ ତିନି ପ୍ରକାରର ଗଛ ଲଗାଯିବ ଯାହା ଫଳରେ ବର୍ଷସାରା କୌଣସି ନ କୌଣସି ଗଛରେ ଫୁଲ ଫୁଟିବ। ଗଛ ଲଗାଇବା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକାଦାରମାନଙ୍କୁ ଦିଆଯାଇଛି। ପ୍ରତ୍ୟେକ ଗଛ ପିଛା ୮୦୦ରୁ ୧ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି।ଏନ୍ଏଚ୍ଏଆଇ ସୂଚନା ଅନୁଯାୟୀ ୨୦୨୬-୨୭ ଆର୍ଥିକ ବର୍ଷରେ ସାରା ଦେଶରେ ୪୦ ଲକ୍ଷ ଗଛ ଲଗାଇବାକୁ ଯୋଜନା ହୋଇଛି। ସେଥିରୁ ୬୦ ପ୍ରତିଶତ ଗଛ ‘ମହୁମାଛି କରିଡର’ ଅଧୀନରେ ରହିବ।
ପ୍ରତ୍ୟେକ କ୍ଷେତ୍ର ଅଧିକାରୀଙ୍କୁ ଅତି କମରେ ତିନୋଟି କରିଡର ବିକାଶ କରିବାକୁ କୁହାଯାଇଛି।ଓଡ଼ିଶାରେ ମହୁଚାଷ ପାଇଁ ଅନୁକୂଳ ଜଳବାୟୁ ଥିବାରୁ ଏହା ଲାଭଜନକ ହୋଇପାରିଛି। ଜଙ୍ଗଲ, ଉଦ୍ୟାନ, ଆମ୍ବ, ଲିଚୁ, ସୋରିଷ, ଧନିଆ ଓ ନଡ଼ିଆ ବଗିଚା ମହୁମାଛି ପାଇଁ ଉପଯୁକ୍ତ ପରିବେଶ ଯୋଗାଉଛି। କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ସବୁଠାରୁ ଅଧିକ ମହୁଚାଷ ହେଉଛି। ସରକାରଙ୍କ ପକ୍ଷରୁ ମହୁ ବାକ୍ସ ଯୋଗାଇ ଦିଆଯାଉଥିବାରୁ ଚାଷୀମାନେ ମଧ୍ୟ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି।

