ନ୍ୟୁଜ ଡେକ୍ସ : ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର କମାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶାସନକୁ ୮ ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସରକାରୀ ବିଭାଗଗୁଡ଼ିକରେ ଇନ୍ଧନ ବ୍ୟବହାର ହ୍ରାସ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ନୂତନ ନିଷ୍ପତ୍ତି ଅନୁସାରେ ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ ଓ କର୍ମଶାଳା ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡରେ କରାଯିବ। ଯେଉଁଠାରେ ପ୍ରତ୍ୟକ୍ଷ ଉପସ୍ଥିତି ଆବଶ୍ୟକ ହେବ, ସେଠାରେ କେବଳ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ଯୋଗଦେବେ।
ଅନ୍ୟମାନେ ଅନଲାଇନ୍ ମାଧ୍ୟମରେ ସାମିଲ ହେବେ।ଜୁନ୍ ୧ ଠାରୁ ସରକାରୀ ଅଫିସରେ ନୂଆ ଦୁଇଚକିଆ ଓ ଚାରିଚକିଆ ଯାନ କିଣାଯାଇଲେ ସେଗୁଡ଼ିକ ବୈଦ୍ୟୁତିକ ଯାନ ହେବା ବାଧ୍ୟତାମୂଳକ କରାଯାଇଛି। ତେବେ ବିଶେଷ ଆବଶ୍ୟକତା ରହିଲେ ପେଟ୍ରୋଲ କିମ୍ବା ଡିଜେଲ ଗାଡ଼ି କିଣିବାକୁ ଅନୁମତି ମିଳିପାରିବ। ସେହିପରି ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନମାନେ ମଧ୍ୟ ଇଭି ହେବା ବାଧ୍ୟତାମୂଳକ ରହିବ।ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଗାଡ଼ି ପାଇଥିବା ବରିଷ୍ଠ ଅଧିକାରୀମାନେ କାରପୁଲିଂ ବ୍ୟବସ୍ଥା ଅପନାଇବେ। ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ଅଧା କରାଯିବ। କେଉଁ ପାହ୍ୟାର ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ, ସେଥିପାଇଁ ଅର୍ଥ ବିଭାଗ ୧୫ ଦିନ ମଧ୍ୟରେ ମାର୍ଗଦର୍ଶିକା ଜାରି କରିବ।
ଦୂରସ୍ଥାନକୁ ପରିଦର୍ଶନ ସମୟରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ବସ୍ କିମ୍ବା ରେଳ ଯାତ୍ରା କରିବାକୁ କୁହାଯାଇଛି। ନିଜସ୍ୱ ବୈଦ୍ୟୁତିକ ଗାଡ଼ି ଥିବା ଅଧିକାରୀମାନେ ସରକାରୀ କାମରେ ସେଗୁଡ଼ିକୁ କିପରି ବ୍ୟବହାର କରିପାରିବେ, ସେନେଇ ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ନିୟମାବଳୀ ପ୍ରସ୍ତୁତ ହେବ।ସରକାରୀ କର୍ମଚାରୀ ଅଧିକ ସଂଖ୍ୟାରେ ରହୁଥିବା ଅଞ୍ଚଳରେ ଯାତାୟାତ ପାଇଁ ବୈଦ୍ୟୁତିକ ବସ୍ କିମ୍ବା ମିନିବସ୍ ସେବା ଯୋଗାଇ ଦିଆଯିବ। ସମସ୍ତ କାର୍ଯ୍ୟାଳୟକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ଅତିକମରେ ୧୦ ପ୍ରତିଶତ କମାଇବାକୁ ସୁଚିନ୍ତିତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏହି ନିର୍ଦ୍ଦେଶାବଳୀ ରାଜ୍ୟ ସଚିବାଳୟଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗ, ଉପଖଣ୍ଡ, ତହସିଲ, ବ୍ଲକ୍, ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ ଓ ସମିତିମାନଙ୍କରେ କଡାକଡି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

