Thu. Jun 4th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ପ୍ରଚଣ୍ଡ ଗରମ ସାଙ୍ଗକୁ ଘନଘନ ବିଦ୍ୟୁତ କାଟ ସାଧାରଣ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ରାଜଧାନୀ ଭୁବନେଶ୍ଵରର ଭରତପୁର ଅଞ୍ଚଳରେ ବିଦ୍ୟୁତ କାଟକୁ ନେଇ ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଯାଇଛି। ଉତ୍ତେଜିତ ସ୍ଥାନୀୟ ଲୋକମାନେ ସେକ୍ସନ ବିଦ୍ୟୁତ ଅଫିସ ଭିତରକୁ ପଶି ବିରୋଧ ପ୍ରଦର୍ଶନ କରିଥିଲେ।

ସୂଚନା ଅନୁସାରେ, ଭରତପୁର ଅଞ୍ଚଳରେ ବୁଧବାର ରାତିଠାରୁ ବିଦ୍ୟୁତ କାଟ ହୋଇଥିଲା। ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ସ୍ୱାଭାବିକ ନ ହେବାରୁ ଲୋକମାନେ ଅତିଷ୍ଠ ହୋଇପଡ଼ିଥିଲେ। ଫୋନ୍ ଯୋଗେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଗୁରୁବାର ଦିନରେ ଶତାଧିକ ସ୍ଥାନୀୟ ବାସିନ୍ଦା ସେକ୍ସନ ବିଦ୍ୟୁତ ଅଫିସରେ ପହଞ୍ଚିଥିଲେ। କିଛି ସମୟ ପାଇଁ ବିଦ୍ୟୁତ ଆସିଥିଲେ ମଧ୍ୟ ପୁଣି ଥରେ କରେଣ୍ଟ କାଟ ହୋଇଯାଇଥିଲା। ଏଥିରେ ଲୋକଙ୍କ ଅସନ୍ତୋଷ ଆହୁରି ବଢ଼ିଥିଲା। ରାତି ଅଧରେ ପୁଣି ଶତାଧିକ ଲୋକ ବିଦ୍ୟୁତ ଅଫିସରେ ପହଞ୍ଚିଥିଲେ।

ହେଲେ ଅଫିସରେ ଏସି ଚାଲୁଥିବା ବେଳେ କୌଣସି ବିଦ୍ୟୁତ ବିଭାଗ କର୍ମଚାରୀ ଉପସ୍ଥିତ ନଥିବା ଅଭିଯୋଗ ହୋଇଛି। ଏମିତିକି ଜେଇ ଫୋନ୍ ସ୍ୱିଚ୍ ଅଫ୍ କରିଦେଇଥିବାରୁ ଲୋକମାନଙ୍କ ମଧ୍ୟରେ ରୋଷ ବଢ଼ିଥିଲା।ଉତ୍ତେଜିତ ଲୋକମାନେ ବିଦ୍ୟୁତ ଅଫିସ ଭିତରେ ବସି ହୋହଲ୍ଲା କରିବା ସହ ତୁରନ୍ତ ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ଦାବି କରିଥିଲେ। ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ମଧ୍ୟରେ ଘନଘନ ବିଦ୍ୟୁତ କାଟ ଲୋକଙ୍କ ଦୁର୍ଭୋଗକୁ ଆହୁରି ବଢ଼ାଇଦେଇଛି।

Leave a Reply

Your email address will not be published. Required fields are marked *