ନ୍ୟୁଜ ଡେକ୍ସ : ରାଜ୍ୟରେ ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସପ୍ତାହେ ଧରି ନିଆଁ ମାଡ଼ ଭଳି ଗରମ ଅନୁଭୂତ ହେଉଥିବାବେଳେ ଅସହ୍ୟ ଖରାକୁ ଦୃଷ୍ଟିରେ ରଖି କଟକରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।୨ ଦିନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବା ସହ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ଘରେ ଖାଦ୍ୟ ପହଞ୍ଚାଇବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।
ପ୍ରଚଣ୍ଡ ଗରମରେ ଛୋଟ ପିଲା ଓ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି।ସୂଚନାଯୋଗ୍ୟ ଯେ, ଗତମାସରେ ମଧ୍ୟ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜିଲ୍ଲାପାଳ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଏହି ନିଷ୍ପତ୍ତି କାର୍ଯ୍ୟକରୀ କରାଯାଇଥିଲା। ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ଜାରି ରହିବ ବୋଲି କୁହାଯାଇଥିଲା। ସେହିପରି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ କାର୍ଯ୍ୟ ସହ ଜନଗଣନା କାର୍ଯ୍ୟରେ ସାମିଲ ହେବେ।
ଅନ୍ୟପଟେ ଭଦ୍ରକ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରଚଣ୍ଡ ଗରମକୁ ଦୃଷ୍ଟିରେ ରଖି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମେ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ପ୍ରାକ୍-ସ୍କୁଲ ପିଲାମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି।ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଥିଲେ ମଧ୍ୟ ପିଲାମାନଙ୍କ ପାଇଁ ପୁଷ୍ଟିକର ସହାୟତା ବନ୍ଦ ହେବ ନାହିଁ। ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୁଖିଲା ରାସନ ସିଧାସଳଖ ପିଲାମାନଙ୍କ ଘରେ ପହଞ୍ଚାଇ ଦିଆଯିବ।

