Thu. Jun 4th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ହାଇକୋର୍ଟରେ ଆସନ୍ତା ୨୫ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେବ। ଶନିବାର ଓ ରବିବାର ହାଇକୋର୍ଟ ବନ୍ଦ ରହୁଥିବାରୁ ଶୁକ୍ରବାର ଚଳିତ ସତ୍ରର ଶେଷ କାର୍ଯ୍ୟ ଦିବସ ରହିଛି। ଆସନ୍ତା ଜୁନ୍ ୨୨ ତାରିଖରେ ପୁନର୍ବାର ହାଇକୋର୍ଟର ନିୟମିତ କାର୍ଯ୍ୟ ଆରମ୍ଭ ହେବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।ଗ୍ରୀଷ୍ମ ଅବକାଶ ସମୟରେ ମୋଟ ୮ ଦିନ ଅବକାଶକାଳୀନ ଅଦାଲତ କାର୍ଯ୍ୟ କରିବ।

ପୂର୍ବ ନିଷ୍ପତ୍ତି ଅନୁସାରେ ସମସ୍ତ ଅବକାଶକାଳୀନ କୋର୍ଟ ଭର୍ଚୁଆଲ୍ ମୋଡ୍‌ରେ ଚାଲିବ। ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଭିନ୍ନ ମାମଲାର ଶୁଣାଣି କରାଯିବ।ଆସନ୍ତା ୨୬ ଓ ୨୯ ତାରିଖରେ ଅବକାଶକାଳୀନ କୋର୍ଟ ବସିବ। ଏହି ଦୁଇ ଦିନ ଚାରିଟି ବେଞ୍ଚରେ ମାମଲା ଶୁଣାଣି ହେବ। ଜଷ୍ଟିସ୍ କେ.ଆର୍. ମହାପାତ୍ର ଓ ଜଷ୍ଟିସ୍ ଏମ୍.ଏସ୍. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ସେହିପରି ଜଷ୍ଟିସ୍ କେ.ଆର୍. ମହାପାତ୍ର, ଜଷ୍ଟିସ୍ ଏମ୍.ଏସ୍. ସାହୁ ଓ ଜଷ୍ଟିସ୍ ଏମ୍.ଏସ୍. ରମଣ ପୃଥକ ପୃଥକ ବେଞ୍ଚରେ ମାମଲା ଶୁଣିବେ।ଜୁନ୍ ୨ ଓ ୫ ତାରିଖରେ ଜଷ୍ଟିସ୍ ଏମ୍.ଏସ୍. ସାହୁ ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଏଥିସହ ଉଭୟ ବିଚାରପତି ପୃଥକ ପୃଥକ ବେଞ୍ଚରେ ମଧ୍ୟ ମାମଲା ଶୁଣିବେ।

ଜୁନ୍ ୯ ତାରିଖରେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିବେ। ପରେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ୍ ଗୌରୀ ଶଙ୍କର ଶତପଥୀ ପୃଥକ ପୃଥକ ବେଞ୍ଚରେ ମାମଲା ଶୁଣିବେ।ସେହିପରି ଜୁନ୍ ୧୨, ୧୭ ଓ ୧୯ ତାରିଖରେ ଜଷ୍ଟିସ୍ ସାବିତ୍ରୀ ରଥ ଓ ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ପରେ ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ୍ ଭି. ନରସିଂହ ଓ ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ପୃଥକ ପୃଥକ ବେଞ୍ଚରେ ମାମଲାର ଶୁଣାଣି କରିବେ।

Leave a Reply

Your email address will not be published. Required fields are marked *