ନ୍ୟୁଜ ଡେକ୍ସ : ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ପରିଚାଳିତ ସିଆର୍ଆଇ-୨୦୨୫ ନିଯୁକ୍ତି ପରୀକ୍ଷା ଆଜିଠୁ ଆରମ୍ଭ ହେଉଛି। ରାଜ୍ୟର ହଜାର ହଜାର ଚାକିରି ଆଶାୟୀଙ୍କ ପାଇଁ ଏହି ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଓ ଚିନ୍ତା ଦୁହିଁ ଦେଖିବାକୁ ମିଳିଛି।
ଏହି ନିଯୁକ୍ତି ପରୀକ୍ଷା ମାଧ୍ୟମରେ ରାଜସ୍ୱ ନିରୀକ୍ଷକ (ଆର୍ଆଇ), ଅତିରିକ୍ତ ରାଜସ୍ୱ ନିରୀକ୍ଷକ (ଏଆର୍ଆଇ) ଓ ଅମିନ ପଦବିରେ ନିଯୁକ୍ତି କରାଯିବ।ଆୟୋଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ପରୀକ୍ଷା ଆସନ୍ତା ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବିଭିନ୍ନ ସହର ଓ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ଆୟୋଜିତ ହେବ। ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ସିଫ୍ଟରେ ପରୀକ୍ଷା ହେବାକୁ ଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଆୟୋଗ ପକ୍ଷରୁ ବିଭିନ୍ନ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଏହି ପରୀକ୍ଷା ପାଇଁ ଗତ ୧୩ ତାରିଖରୁ ଓଏସ୍ଏସ୍ଏସ୍ସିର ଆଧିକାରିକ ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ କରାଯାଇଛି। ପରୀକ୍ଷାର୍ଥୀମାନେ ଅନଲାଇନ୍ରେ ନିଜ ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରି ପରୀକ୍ଷା କେନ୍ଦ୍ରରେ ଯୋଗଦେବେ। ଆଡ୍ମିଟ୍ କାର୍ଡ ସହ ଏକ ଫଟୋ ପରିଚୟପତ୍ର ନେଇ ଯିବାକୁ ମଧ୍ୟ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ଆରମ୍ଭ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି।ସବୁଠାରୁ ବଡ଼ କଥା ହେଉଛି, ଏହି ନିଯୁକ୍ତି ପରୀକ୍ଷାରେ ପ୍ରାୟ ୨ ଲକ୍ଷ ୫୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। ରାଜ୍ୟରେ ସରକାରୀ ଚାକିରି ପ୍ରତି ଯୁବପିଢ଼ୀଙ୍କ ଆକର୍ଷଣ ବଢ଼ୁଥିବାରୁ ପ୍ରତ୍ୟେକ ନିଯୁକ୍ତି ପରୀକ୍ଷାରେ ଏପରି ବିପୁଳ ସଂଖ୍ୟକ ଆବେଦନକାରୀ ଦେଖିବାକୁ ମିଳୁଛି।
ବିଶେଷକରି ଆର୍ଆଇ ଓ ଅମିନ ପଦବି ପ୍ରତି ଅଧିକ ଆଗ୍ରହ ଥିବାରୁ ପ୍ରତିସ୍ପର୍ଧା ମଧ୍ୟ କଡ଼ା ହେବ ବୋଲି କୁହାଯାଉଛି।ପରୀକ୍ଷାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ପରିଚାଳନା ପାଇଁ ସିସିଟିଭି ନଜରଦାରୀ, ସୁରକ୍ଷାକର୍ମୀ ନିଯୁକ୍ତି ଓ ଫ୍ଲାଇଂ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ୍, ସ୍ମାର୍ଟ ୱାଚ୍ ସହ ଇଲେକ୍ଟ୍ରୋନିକ୍ ସାମଗ୍ରୀ ନେବାକୁ ନିଷେଧ କରାଯାଇଛି। ଯେକୌଣସି ଅନିୟମିତତାକୁ କଠୋର ଭାବେ ଦମନ କରାଯିବ ବୋଲି ଆୟୋଗ ସତର୍କ କରାଇଛି।ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିବାବେଳେ ଅନେକେ ଦୀର୍ଘଦିନ ଧରି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା କହିଛନ୍ତି। ଅନେକ କୋଚିଂ ସେଣ୍ଟର ଓ ପାଠାଗାରରେ ଗତ କିଛି ମାସ ଧରି ଚାକିରି ପ୍ରସ୍ତୁତିରେ ବ୍ୟସ୍ତ ଥିବା ଯୁବପିଢ଼ୀଙ୍କ ପାଇଁ ଏହି ପରୀକ୍ଷା ଏକ ବଡ଼ ସୁଯୋଗ ଭାବେ ଦେଖାଯାଉଛି।

