ନ୍ୟୁଜ ଡେକ୍ସ : ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକମାନଙ୍କ ପାଇଁ ବଡ଼ ସୂଚନା ସାମ୍ନାକୁ ଆସିଛି। ମେ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଲଗାତାର ୬ ଦିନ ଧରି ବ୍ୟାଙ୍କ ଶାଖା ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ସପ୍ତାହାନ୍ତ ଛୁଟି, କର୍ମଚାରୀଙ୍କ ପ୍ରସ୍ତାବିତ ଧର୍ମଘଟ ଏବଂ ବକ୍ରିଦ ଛୁଟି ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମେ ୨୩ ଓ ୨୪ ତାରିଖରେ ସପ୍ତାହାନ୍ତ ଛୁଟି ରହିବ। ଏହାପରେ ମେ ୨୫ ଓ ୨୬ ତାରିଖରେ ଏସବିଆଇ କର୍ମଚାରୀ ସଂଘ ପକ୍ଷରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ପୁଣି ମେ ୨୭ ଓ ୨୮ ତାରିଖରେ ବକ୍ରିଦ ଅବସରରେ କିଛି ରାଜ୍ୟରେ ବ୍ୟାଙ୍କ ଛୁଟି ରହିବାରୁ ଗ୍ରାହକମାନେ ବ୍ୟାଙ୍କ ଶାଖା ସେବାରେ ଅସୁବିଧା ସମ୍ମୁଖୀନ ହୋଇପାରନ୍ତି।ଧର୍ମଘଟ ପଛରେ କର୍ମଚାରୀଙ୍କ କିଛି ମୁଖ୍ୟ ଦାବି ରହିଥିବା କୁହାଯାଉଛି। ସୁରକ୍ଷା କର୍ମୀ ନିଯୁକ୍ତି, ପେନସନ ଫଣ୍ଡ ପରିଚାଳନା ଏବଂ ଅନ୍ୟାନ୍ୟ କର୍ମଚାରୀ ସମସ୍ୟାକୁ ନେଇ ଅସନ୍ତୋଷ ଥିବାରୁ ଏହି ଧର୍ମଘଟ ଡାକରା ଦିଆଯାଇଛି।
ତେବେ ଗ୍ରାହକଙ୍କ ପାଇଁ ଆଶ୍ୱାସନର କଥା ହେଉଛି ଯେ, ATM, UPI, YONO ଆପ୍ ଓ ଅନଲାଇନ ବ୍ୟାଙ୍କିଂ ସେବା ସାଧାରଣ ଭାବେ ଚାଲୁ ରହିବ। ଡିଜିଟାଲ ମାଧ୍ୟମରେ ଟଙ୍କା ଲେନଦେନ ଓ ଅନ୍ୟାନ୍ୟ ବ୍ୟାଙ୍କିଂ କାମ ସୁବିଧାରେ କରିହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।ଏସବିଆଇ ପକ୍ଷରୁ ଗ୍ରାହକମାନଙ୍କୁ ଆଗୁଆ ଭାବେ ନିଜର ଜରୁରୀ ବ୍ୟାଙ୍କିଂ କାମ ସାରିନେବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଚେକ୍ କ୍ଲିୟାରେନ୍ସ, ନଗଦ ଉଠାଣ, ଡିଡି ଓ ଶାଖା ସମ୍ବନ୍ଧୀୟ କାର୍ଯ୍ୟ ପୂର୍ବରୁ ସମାପ୍ତ କରିବାକୁ କୁହାଯାଇଛି।

