Thu. Jun 4th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଏବେ ଅସହ୍ୟ ଗରମ ସହ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ତାତିରେ ଲୋକେ ତ୍ରାହି ତ୍ରାହି ଡାକୁଥିବାବେଳେ ବାରମ୍ବାର ପାୱାର କଟ୍ ସମସ୍ୟା ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇଛି। ଏହି ପରିସ୍ଥିତି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଆଇଏମଡି ସୂଚନା ଦେଇଛି ଯେ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ସ୍ଥିତି ଆସନ୍ତା ମେ ୨୮ ପର୍ଯ୍ୟନ୍ତ ଜାରି ରହିପାରେ।

ଆଇଏମଡି ପୂର୍ବାନୁମାନ ଅନୁସାରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ଗରମପ୍ରବାହ ଦେଖାଦେଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ନୟାଗଡ଼ ଭଳି ଜିଲ୍ଲାରେ ଗରମ ସହ ଅଧିକ ଆର୍ଦ୍ରତା ଅନୁଭୂତ ହେବ। ଏହାସହ ମେ ୩୦ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲା ସହ ସୁନ୍ଦରଗଡ଼ ଓ ରାୟଗଡ଼ାର କିଛି ସ୍ଥାନରେ ବଜ୍ରପାତ ସମ୍ଭାବନା ଥିବା ନେଇ ମଧ୍ୟ ଆଇଏମଡି ସତର୍କ କରିଛି। ପାଣିପାଗ ବିଭାଗ କହିଛି ଯେ ଆଗାମୀ ପାଞ୍ଚ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ।

ତେବେ ଏହା ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ବୋଲି ଆକଳନ କରାଯାଇଛି।ଏହା ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ କିଛିଟା ଆଶ୍ୱସ୍ତିକର ଖବର ମଧ୍ୟ ଆସିଛି। ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ କିଛି ଦିନ ମଧ୍ୟରେ ଆହୁରି କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ ସାଗର, ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଏଥିପାଇଁ ପରିସ୍ଥିତି ଅନୁକୂଳ ରହିଛି।

ସେପଟେ କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ କହିଛନ୍ତି ଯେ ଜୁନ୍ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାରେ ପାଗ ବଦଳିବା ସହ ତାପମାତ୍ରା କମିବାର ସମ୍ଭାବନା ରହିଛି। ମୌସୁମୀ ବାୟୁ ଜୁନ୍ ୧୦ ରୁ ୧୨ ମଧ୍ୟରେ ଓଡ଼ିଶାରେ ପହଞ୍ଚିପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି।

Leave a Reply

Your email address will not be published. Required fields are marked *