ନ୍ୟୁଜ ଡେକ୍ସ : କଳାହାଣ୍ଡିବାସୀଙ୍କ ପାଇଁ ଆସିଛି ବଡ଼ ଖୁସିର ଖବର। ଜିଲ୍ଲାର ଏକମାତ୍ର ଉତ୍କେଲା ବିମାନବନ୍ଦରରୁ ଏଣିକି ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ। ଆସନ୍ତା ମେ’ ୨୫ ତାରିଖରୁ ଏହି ନୂଆ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବିମାନ କମ୍ପାନୀ ‘ଇଣ୍ଡିଆ ଏୟାରୱାନ’ ପକ୍ଷରୁ ଦିନକୁ ଦୁଇଥର ବିମାନ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।
ଏହି ସେବା ଆରମ୍ଭ ହେଲେ ସାଧାରଣ ଯାତ୍ରୀଙ୍କ ସହ ମେଡିକାଲ ଜରୁରୀକାଳୀନ ସେବା, ସରକାରୀ କାର୍ଯ୍ୟ ଏବଂ ଅଫିସିଆଲ କାମରେ ଯାଉଥିବା ଲୋକମାନେ ବେଶ ଉପକୃତ ହେବେ। ଏହି ଖବର ପ୍ରକାଶ ପାଇବା ପରେ କଳାହାଣ୍ଡି ସହ ଆଖପାଖ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି।କମ୍ପାନୀ ପକ୍ଷରୁ ଜାରି ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ବିମାନଟି ସକାଳ ୫ଟା ୫୦ରେ ଭୁବନେଶ୍ୱରରୁ ବାହାରି ସକାଳ ୭ଟାରେ ଉତ୍କେଲାରେ ପହଞ୍ଚିବ। ପରେ ସେହି ବିମାନ ସକାଳ ୭ଟା ୧୫ରେ ଉତ୍କେଲାରୁ ବାହାରି ସକାଳ ୮ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ।
ଏହାଦ୍ୱାରା ଏବେ ମାତ୍ର ୧ ଘଣ୍ଟା ୧୦ ମିନିଟରେ ଉତ୍କେଲାରୁ ଭୁବନେଶ୍ୱର ଯାତ୍ରା ସମ୍ଭବ ହେବ।ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିମାନଟି ଦିନ ୧୧ଟା ୨୦ରେ ଭୁବନେଶ୍ୱରରୁ ବାହାରି ମଧ୍ୟାହ୍ନ ୧୨ଟା ୩୦ରେ ଉତ୍କେଲାରେ ପହଞ୍ଚିବ। ପୁଣି ମଧ୍ୟାହ୍ନ ୧୨ଟା ୪୫ରେ ଉତ୍କେଲାରୁ ଛାଡ଼ି ଦିନ ୧ଟା ୫୫ରେ ଭୁବନେଶ୍ୱରରେ ପହଞ୍ଚିବ।ଏହି ବିମାନ ଯାତ୍ରା ପାଇଁ ଟିକେଟ ମୂଲ୍ୟ ୩ ହଜାର ୨୮୭ ଟଙ୍କା ଧାର୍ଯ୍ୟ କରାଯାଇଛି।

