Thu. Jun 4th, 2026

ନ୍ୟୁଜ ଡେକ୍ସ : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫଳାଫଳ ପ୍ରକାଶ ପରେ ଏକ ଅଜବ ତ୍ରୁଟି ସାମ୍ନାକୁ ଆସିଛି। କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ର ଇଂରାଜୀ ବିଷୟରେ ୧୦୦ରୁ ୧୦୨ ନମ୍ବର ପାଇଥିବା ଦେଖାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇର ପରୀକ୍ଷା ପରିଚାଳନା ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଳରେ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ସମ୍ପୃକ୍ତ ଛାତ୍ର ଇଂରାଜୀ ବିଷୟର ଥିଓରୀ ପରୀକ୍ଷାରେ ୮୨ ନମ୍ବର ପାଇଥିବାବେଳେ ଇଣ୍ଟରନାଲ ପରୀକ୍ଷାରେ ୨୦ ନମ୍ବର ମିଳିଥିଲା। ଏହାକୁ ଯୋଗ କରିବା ପରେ ମୋଟ ନମ୍ବର ୧୦୨ ହୋଇଥିବା ମାର୍କସିଟରେ ଦର୍ଶାଯାଇଛି। ସାଧାରଣତଃ ଗୋଟିଏ ବିଷୟରେ ସର୍ବାଧିକ ୧୦୦ ନମ୍ବର ଥିବା ସତ୍ତ୍ୱେ ୧୦୨ ନମ୍ବର ଆସିବାକୁ ନେଇ ଏବେ ସବୁଠି ଆଲୋଚନା ଚାଲିଛି।ସମ୍ପୃକ୍ତ ଛାତ୍ରଙ୍କ ମାର୍କସିଟ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଘଟଣାଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିଲା। ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ତତ୍ପର ହୋଇଛନ୍ତି। ଶୁକ୍ରବାର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସିଏଚଏସଇକୁ ଚିଠି ଲେଖି ଏହି ତ୍ରୁଟି ସମ୍ପର୍କରେ ଅବଗତ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଚିରଞ୍ଜୀବ ମହାପାତ୍ର କହିଛନ୍ତି ଯେ, ଏହା ଏକ ବୈଷୟିକ ତ୍ରୁଟି ହୋଇଥାଇପାରେ।

ଛାତ୍ରଙ୍କ ଭବିଷ୍ୟତ ଉପରେ ଯେପରି କୌଣସି ଖରାପ ପ୍ରଭାବ ନ ପଡ଼େ, ସେଥିପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସିଏଚଏସଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି।ଏହି ଘଟଣା ପରେ ପରୀକ୍ଷା ଫଳ ପ୍ରସ୍ତୁତି ଓ ଡାଟା ଏଣ୍ଟ୍ରି ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡିତ ଏପରି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ କିପରି ଏପରି ତ୍ରୁଟି ଘଟିଲା, ସେନେଇ ଅଭିଭାବକ ଓ ଶିକ୍ଷାବିଦମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି।ତେବେ ସମ୍ପୃକ୍ତ ଛାତ୍ର ସମୁଦାୟ ୬୦୦ ନମ୍ବରରୁ ୩୬୦ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ଏବେ ସିଏଚଏସଇ ପକ୍ଷରୁ ଏହି ତ୍ରୁଟିର ସଠିକ୍ କାରଣ କଣ ଏବଂ କେବେ ସୁଧାର ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।

Leave a Reply

Your email address will not be published. Required fields are marked *