Thu. Jun 4th, 2026

ନ୍ୟୁଜ ଡେକ୍ସ : ଦେହକୁ ଜାଳି ଦେଉଛି ପ୍ରଚଣ୍ଡ ତାତି। ସକାଳ ସାଢ଼େ ୫ଟାରୁ ହିଁ ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଗତ ୪ ଦିନ ଧରି ସକାଳ ତାପମାତ୍ରା ସର୍ବାଧିକ ରହୁଥିବାରୁ ଲୋକଙ୍କ ଜୀବନଯାପନ ପ୍ରଭାବିତ ହୋଇପଡ଼ିଛି। ତାତି ସହ ଗୁଳୁଗୁଳି ଯୋଗୁଁ ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି।ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିଚାଲିଥିବା ବେଳେ ସାଧାରଣ ଲୋକ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଖରାର ପ୍ରକୋପ ଅଧିକ ଦେଖିବାକୁ ମିଳୁଛି। ବହୁ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ପାର କରିଥିବା ବେଳେ ଲୋକଙ୍କ ଦୈନିକ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଅନ୍ୟପଟେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ସ୍ଥିତିକୁ ଆହୁରି ସଂଗୀନ କରିଦେଇଛି।ପ୍ରଚଣ୍ଡ ଗରମ ଯୋଗୁଁ ଅଂଶୁଘାତ ଘଟଣା ମଧ୍ୟ ବଢ଼ୁଛି। ରାଜ୍ୟରେ ଏପର୍ଯ୍ୟନ୍ତ ଅଂଶୁଘାତରେ ୧୬ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଛି। ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏହାକୁ ନେଇ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଆହୁରି ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ କୌଣସି କାମ ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ବିଶେଷକରି ବାହାରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।ସହରର ବିଭିନ୍ନ ସ୍ଥାନରେ ଲୋକଙ୍କ ସୁବିଧା ପାଇଁ ଜଳଛତ୍ର ବ୍ୟବସ୍ଥା କରାଯାଇଛି। ଲୋକମାନଙ୍କୁ ଅଧିକ ପାଣି ପିଇବା ସହ ବାହାରକୁ ଯିବାବେଳେ ଛତା, ଜୋତା, ପାଣି ବୋତଲ ଏବଂ କଳା ଚଷମା ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି। ଛୋଟ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ ବିଶେଷ ସାବଧାନ ରହିବାକୁ କୁହାଯାଇଛି।ଅସହ୍ୟ ତାତି ଓ ଗୁଳୁଗୁଳି ଏବେ ସାରା ଓଡ଼ିଶାବାସୀଙ୍କ ପାଇଁ ବଡ଼ ସମସ୍ୟା ହୋଇଉଠିଛି। ଆଗାମୀ କିଛି ଦିନ ଏହି ସ୍ଥିତି ଆହୁରି ଗୁରୁତର ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *