ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ପକ୍ଷରୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସ୍ଥାନାନ୍ତର ଓ ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ ଏବଂ ସୁସଂଗଠିତ କରିବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି କୌଣସି ସରକାରୀ ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ଧରି ଚାକିରୀ କରିପାରିବେ ନାହିଁ। ସ୍ଥାନାନ୍ତର ଏବଂ ନିଯୁକ୍ତିରେ ସ୍ୱଚ୍ଛତା, ସମାନତା ଓ ପ୍ରଶାସନିକ ଦକ୍ଷତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି।
ନୂଆ ନିୟମ ଅନୁଯାୟୀ ପ୍ରତିବର୍ଷ ଏପ୍ରିଲ ୧୫ ରୁ ଜୁନ୍ ୧୫ ମଧ୍ୟରେ ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ସମ୍ପନ୍ନ କରାଯିବ। ଏହି ସମୟ ସୀମା ବାହାରେ ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଏ, ତେବେ ସମ୍ପୃକ୍ତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ବାଧ୍ୟତାମୂଳକ ହେବ। ଏହି ନିୟମ ସମସ୍ତ ବିଭାଗର ସମସ୍ତ ବର୍ଗର କର୍ମଚାରୀଙ୍କ ଉପରେ ଲାଗୁ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁସାରେ, କୌଣସି ଅଧିକାରୀ ଗୋଟିଏ ସ୍ଥାନରେ ଲଗାତାର ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ଆବଶ୍ୟକତା ପଡ଼ିଲେ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହା ପୂର୍ବରୁ ମଧ୍ୟ ସ୍ଥାନାନ୍ତର କରାଯାଇପାରିବ। ବିଶେଷକରି ଗ୍ରୁପ-ଏ ଓ ଗ୍ରୁପ-ବି ବର୍ଗର ଅଧିକାରୀମାନେ କୌଣସି ନିର୍ଦ୍ଧିଷ୍ଟ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ସେହିପରି ଗ୍ରୁପ-ସି ବର୍ଗର କର୍ମଚାରୀମାନେ ମଧ୍ୟ ଗୋଟିଏ ବ୍ଲକ୍ କିମ୍ବା ତହସିଲରେ ୬ ବର୍ଷରୁ ଅଧିକ ସମୟ ଚାକିରୀ କରିପାରିବେ ନାହିଁ।
ସରକାର ସମ୍ବେଦନଶୀଳ ପଦବୀରେ ନିଯୁକ୍ତିକୁ ନେଇ ମଧ୍ୟ କଡ଼ା ନିୟମ ଆଣିଛନ୍ତି। ସାଧାରଣତଃ ଗ୍ରୁପ-ଏ ଏବଂ ଗ୍ରୁପ-ବି ବର୍ଗର ଅଧିକାରୀମାନଙ୍କୁ ସେମାନଙ୍କ ନିଜସ୍ୱ ଗୃହ ଜିଲ୍ଲାରେ ସମ୍ବେଦନଶୀଳ ପଦବୀରେ ନିଯୁକ୍ତି ଦିଆଯିବ ନାହିଁ। କେଉଁ ପଦବୀଗୁଡ଼ିକୁ ସମ୍ବେଦନଶୀଳ ଭାବେ ଗଣାଯିବ, ସେଥିପାଇଁ ସମ୍ପୃକ୍ତ ପ୍ରଶାସନିକ ବିଭାଗ ନିଷ୍ପତ୍ତି ନେବ।ତେବେ ଅବସର ଗ୍ରହଣର ଦ୍ୱିତୀୟ ବର୍ଷ ପୂର୍ବରୁ ଅଧିକାରୀମାନଙ୍କୁ ସେମାନଙ୍କ ଗୃହ ଜିଲ୍ଲା କିମ୍ବା ପସନ୍ଦର ଜିଲ୍ଲାରେ ନିଯୁକ୍ତି ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଏହାସହ କେବିକେ ଅଞ୍ଚଳ ଅର୍ଥାତ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଭଳି ଜିଲ୍ଲାରେ ୬ ବର୍ଷ ସେବା ପୂରଣ କରିଥିବା ଅଧିକାରୀମାନଙ୍କୁ ପରବର୍ତ୍ତୀ ସମୟରେ ସେମାନଙ୍କ ଇଚ୍ଛାମୁତାବକ ଜିଲ୍ଲାରେ ନିଯୁକ୍ତି ମିଳିବ। ଅଧିକାରୀ ଦମ୍ପତ୍ତିଙ୍କ ପାଇଁ ମଧ୍ୟ ସରକାର ନୂଆ ସୁବିଧା ଘୋଷଣା କରିଛନ୍ତି।
ଯଦି ଦୁଇଜଣ ସ୍ୱାମୀ-ସ୍ତ୍ରୀ ସରକାରୀ ଚାକିରୀରେ ଥିବେ, ତେବେ ସେମାନଙ୍କୁ ସମ୍ଭବ ହେଲେ ଏକେ ଜିଲ୍ଲାରେ ନିଯୁକ୍ତି ଦିଆଯିବ। ଏହା ଦ୍ୱାରା ପରିବାରିକ ସମସ୍ୟା କମିବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ସରକାର ଆଶା କରୁଛନ୍ତି।ସଚିବାଳୟରେ ମନ୍ତ୍ରୀସ୍ତରୀୟ କ୍ୟାଡରରେ ଥିବା ଅଧିକାରୀ କିମ୍ବା କୌଣସି ବିଭାଗୀୟ ମୁଖ୍ୟ ମଧ୍ୟ ଗୋଟିଏ ପଦବୀରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ଆବଶ୍ୟକତା ଅନୁସାରେ ସରକାର ଏହି ନିୟମରେ ପରିବର୍ତ୍ତନ କରିପାରିବେ ବୋଲି ମଧ୍ୟ ନିର୍ଦ୍ଦେଶିକାରେ ଉଲ୍ଲେଖ ରହିଛି।ରାଜ୍ୟ ସରକାରଙ୍କ ଏହି ନୂଆ ସ୍ଥାନାନ୍ତର ନୀତି ଫଳରେ ପ୍ରଶାସନିକ ବ୍ୟବସ୍ଥା ଆହୁରି ସକ୍ରିୟ, ସ୍ୱଚ୍ଛ ଓ ଦାୟିତ୍ୱବାନ ହେବ ବୋଲି ଆଶା କରାଯାଉଛି।

