ନ୍ୟୁଜ ଡେକ୍ସ : ରାଜ୍ୟର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଜାତୀୟ ଶିକ୍ଷା ନୀତି-୨୦୨୦କୁ ଆଧାର କରି ବିଏଡ୍ ଓ ଏମ୍ଏଡ୍ ପାଠ୍ୟକ୍ରମର ସିଲାବସ୍ ଓ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରାଯିବ । ଦୀର୍ଘ ୧୨ ବର୍ଷ ପରେ ଉଚ୍ଚଶିକ୍ଷା ବିଭାଗ ଏହି ବଡ଼ ନିଷ୍ପତ୍ତି ନେଇଛି ।ଶିକ୍ଷାଗତ ପରିବେଶର ଆବଶ୍ୟକତାକୁ ଭିତ୍ତି କରି ନୂତନ ସିଲାବସ୍ ପ୍ରସ୍ତୁତ ହେବ ।
ବର୍ତ୍ତମାନ ବିଏଡ୍ ଛାତ୍ରଛାତ୍ରୀମାନେ ବାର୍ଷିକ ପରୀକ୍ଷା ଦେଉଥିବା ବେଳେ ପରିବର୍ତ୍ତିତ ପାଠ୍ୟକ୍ରମ ଲାଗୁ ହେଲେ ସେମିଷ୍ଟାର ଢାଞ୍ଚାରେ ପରୀକ୍ଷା ହେବ । ଶିକ୍ଷାବର୍ଷ ୨୦୨୬-୨୭ରୁ ଏହି ନୂତନ ବ୍ୟବସ୍ଥା ଲାଗୁ ହୋଇପାରେ ବୋଲି ସୂଚନା ମିଳିଛି ।ଏହି ପାଠ୍ୟକ୍ରମର ସମୀକ୍ଷା ଓ ସଂଶୋଧନ ପାଇଁ ୧୬ ଜଣିଆ କମିଟି ଗଠନ କରାଯାଇଛି । ଆସନ୍ତା ୩୦ ତାରିଖରେ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ବିଭାଗ ପକ୍ଷରୁ ସମସ୍ତ ସଦସ୍ୟଙ୍କୁ ଚିଠି ମାଧ୍ୟମରେ ଏନେଇ ସୂଚନା ଦିଆଯାଇଛି ।କମିଟି ବର୍ତ୍ତମାନର ବିଏଡ୍ ଓ ଏମ୍ଏଡ୍ ପାଠ୍ୟକ୍ରମର ବ୍ୟାପକ ସମୀକ୍ଷା କରିବ । ପାଠ୍ୟକ୍ରମର ତ୍ରୁଟି ଚିହ୍ନଟ କରି ଆବଶ୍ୟକ ସଂଶୋଧନ ପାଇଁ ପରାମର୍ଶ ଦେବ । ବର୍ତ୍ତମାନର ପ୍ରାସଙ୍ଗିକତା, ଭାରତୀୟ ଜ୍ଞାନ ବ୍ୟବସ୍ଥାର ଅନ୍ତର୍ଭୁକ୍ତୀକରଣ ଓ ବୈଷୟିକ ଦୃଢ଼ତାକୁ ଧ୍ୟାନରେ ରଖି ନୂତନ ସିଲାବସ୍ ପ୍ରସ୍ତୁତ ହେବ ବୋଲି ବିଭାଗ କହିଛି ।
ଏହି କମିଟିରେ ଓଏସ୍ଏଚ୍ଇସିର କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରଫେସର ଅତନୁ ପତି, ଏକାଡେମିକ୍ ପରାମର୍ଶଦାତା ଡ. ପ୍ରଦୀପ କୁମାର ବେହେରା, ଅବସରପ୍ରାପ୍ତ ପ୍ରଫେସର ୟୁଏନ୍ ଦାସ, ପ୍ରଫେସର ନିବେଦିତା ଜେନା, ଡ. ପ୍ରମଥେଶ ଦାସ, ଡ. ଶରତ କୁମାର କାନ୍ଥ, ଡ. ତାପସ କୁମାର ନାୟକ, ଲିପିକା ସାହୁ, ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା, ମାନସ ଚନ୍ଦ୍ର ରାଉତ, ବସନ୍ତ କୁମାର ପଣ୍ଡା, ଡ. ଜିନା କେ. ଜି., ଡ. ସମ୍ବିତ କୁମାର ପାଢ଼ୀ, ସତ୍ୟନାରାୟଣ ପଣ୍ଡା ଓ ଡ. ରଶ୍ମୀରେଖା ଜେନାଙ୍କ ସହ ବିଭିନ୍ନ ଶିକ୍ଷାବିଦ୍ ଓ ଅଧ୍ୟାପକମାନେ ସଦସ୍ୟ ଭାବେ ରହିଛନ୍ତି ।

