Wed. Jun 3rd, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସିଧାସଳଖ ଭାବେ ସାଧାରଣ ଲୋକଙ୍କ ରୋଷେଇ ଘର ଉପରେ ପଡ଼ିଛି । ଏଲ୍‌ପିଜି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ଏବେ ଖାଦ୍ୟ ସାମଗ୍ରୀ ଓ କଞ୍ଚା ପରିବା ଦର ମଧ୍ୟ ଉପରମୁହାଁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମହଙ୍ଗାଇର ଚାପ ଖାଉଟିଙ୍କୁ ଅଡ଼ୁଆରେ ପକାଇଛି ।ମାର୍ଚ୍ଚ ମାସରେ ମଧ୍ୟପ୍ରାଚ୍ୟ ସଙ୍କଟ ପରେ ଦେଶରେ ଏଲ୍‌ପିଜି ଦର ବଢ଼ିଥିଲା ।

କମର୍ସିଆଲ ଏଲ୍‌ପିଜି ଅଭାବର ପ୍ରଭାବ ହୋଟେଲ ଓ ରେସ୍ତୋରାଁ ବ୍ୟବସାୟ ଉପରେ ପଡ଼ିଥିବା ବେଳେ ବାହାରେ ଖାଇବା ମଧ୍ୟ ମହଙ୍ଗା ହୋଇଛି । ଏହାପରେ ବିଧାନସଭା ନିର୍ବାଚନ ସରିବା ପରେ ତେଲ କମ୍ପାନିଗୁଡ଼ିକ ୧୧ ଦିନ ମଧ୍ୟରେ ୪ ଥର ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଛନ୍ତି । ଫଳରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ପ୍ରାୟ ୭ ଟଙ୍କା ମହଙ୍ଗା ହୋଇଯାଇଛି ।ତେଲ ଦର ବୃଦ୍ଧି ପରେ ପରିବହନ ଖର୍ଚ୍ଚ ବଢ଼ିବା ସହ ଏହାର ପ୍ରଭାବ ବଜାର ଦର ଉପରେ ପଡ଼ିଛି । ଭୁବନେଶ୍ୱରର ପାଇକାରୀ ଓ ଖୁଚୁରା ବଜାରରେ ପ୍ରାୟ ସମସ୍ତ କଞ୍ଚା ପରିବା ଦର କିଲୋଗ୍ରାମ ପିଛା ୫ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି । ବାଇଗଣ କିଲୋଗ୍ରାମ ପିଛା ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କଲରା ଓ କାଙ୍କଡ଼ ୬୦ରୁ ୮୦ ଟଙ୍କା ମଧ୍ୟରେ ରହିଛି । ଗାଜର ୪୦ରୁ ୬୦ ଟଙ୍କା, ସଜନା ଛୁଇଁ ୮୦ରୁ ୧୦୦ ଟଙ୍କା ଓ ଟମାଟୋ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି ।

ସେହିପରି ଭେଣ୍ଡି ଓ ପୋଟଳ ୪୦ରୁ ୬୦ ଟଙ୍କା, କଖାରୁ ଓ ଅମୃତଭଣ୍ଡା ୩୦ ଟଙ୍କା ଏବଂ ବନ୍ଧା କୋବି ୩୦ ଟଙ୍କାରେ ବିକ୍ରି ହେଉଛି । ଅଦା ଓ ରସୁଣ ଦର ମଧ୍ୟ କିଲୋଗ୍ରାମ ପିଛା ୧୨୦ ଟଙ୍କାକୁ ପହଞ୍ଚିଛି ।କେବଳ ପରିବା ନୁହେଁ, ଡାଲି ଓ ଖାଇବା ତେଲ ଦର ମଧ୍ୟ ଖାଉଟିଙ୍କ ଚିନ୍ତା ବଢ଼ାଇଛି । ସପ୍ତାହକ ପୂର୍ବରୁ ହରଡ଼ ଡାଲି କିଲୋଗ୍ରାମ ପିଛା ୧୨୦ ଟଙ୍କା ଥିବାବେଳେ ଏବେ ତାହା ୧୩୦ ଟଙ୍କାରେ ପହଞ୍ଚିଛି । ସୋରିଷ ତେଲ ଓ ରିଫାଇନ୍ ତେଲ ଦର ଲିଟର ପିଛା ୧୦ ଟଙ୍କା ବଢ଼ି ଯଥାକ୍ରମେ ୧୯୦ ଟଙ୍କା ଓ ୧୮୦ ଟଙ୍କାରେ ବିକ୍ରି ହେଉଛି ।ଓଡ଼ିଶାକୁ ଅଧିକାଂଶ ଖାଦ୍ୟ ସାମଗ୍ରୀ ବାହାର ରାଜ୍ୟରୁ ଆସୁଥିବାରୁ ପରିବହନ ଖର୍ଚ୍ଚ ବୃଦ୍ଧିର ପ୍ରଭାବ ସିଧାସଳଖ ବଜାର ଉପରେ ପଡ଼ୁଛି । ପାଇକାରୀ ବଜାରରୁ ଖୁଚୁରା ବଜାରକୁ ସାମଗ୍ରୀ ପହଞ୍ଚିବା ବେଳେ ଅନେକ ସ୍ତର ଯୋଡ଼ାଯାଉଥିବାରୁ ଦର ବହୁଗୁଣା ବଢ଼ିଯାଉଛି ।

ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘ ସଭାପତି କବିରାଜ ସ୍ୱାଇଁଙ୍କ କହିବା ଅନୁସାରେ, ପରିବହନ ଖର୍ଚ୍ଚ ପ୍ରାୟ ୧୦ ପ୍ରତିଶତ ବଢ଼ିଥିବାରୁ ପରିବା ଦର ଉପରକୁ ଯାଇଛି । ଆଗକୁ ସ୍ଥାନୀୟ ପରିବା ଯୋଗାଣ କମିବାର ସମ୍ଭାବନା ଥିବାରୁ ଦର ଆହୁରି ବଢ଼ିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ବଜାରରେ ସାଧାରଣତଃ ୨ରୁ ୫ ପ୍ରତିଶତ ଦର ବଢ଼ିବା କିମ୍ବା କମିବା ସ୍ୱାଭାବିକ । କିନ୍ତୁ ବର୍ତ୍ତମାନ ଦର ଅସ୍ୱାଭାବିକ ଭାବେ ବଢ଼ୁଛି । ଉତ୍ପାଦନ ଖର୍ଚ୍ଚ ଓ ବିକ୍ରି ମୂଲ୍ୟ ଉପରେ ନିୟମିତ ନଜରଦାରି ନଥିବାରୁ ଖାଉଟି ଅସୁବିଧାରେ ପଡ଼ୁଛନ୍ତି ବୋଲି ସେ କହିଛନ୍ତି ।କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ର ମଧ୍ୟ ଖୁଚୁରା ବଜାର ଉପରେ ନିୟମିତ ଯାଞ୍ଚ ଓ ନିୟନ୍ତ୍ରଣର ଅଭାବକୁ ଦର ବୃଦ୍ଧିର ପ୍ରମୁଖ କାରଣ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *