Wed. Jun 3rd, 2026

ନ୍ୟୁଜ ଡେକ୍ସ : ଜୟପୁର ପୋଷ୍ଟାଲ୍‌ ଡିଭିଜନ୍‌ ଅଧୀନରେ ବଡ଼ ଧରଣର ଆର୍ଥିକ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି । ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରାୟ ୫ ହଜାରରୁ ଅଧିକ ଜମାଖାତାରୁ ୫୦ କୋଟି ଟଙ୍କା ଗାଏବ ହୋଇଥିବା ରିପୋର୍ଟରେ କୁହାଯାଇଛି ।

ଅଭିଯୋଗ ଅନୁସାରେ ଡାକ ବିଭାଗର ଡିଜିଟାଲ୍‌ ମନି ଟ୍ରାନ୍ସଫର୍‌ ସଫ୍ଟୱେରକୁ ହ୍ୟାକ୍‌ କରାଯାଇ ମୂଳ ହିତାଧିକାରୀଙ୍କ ମୋବାଇଲ୍‌ ନମ୍ବର ଓ କେୱାଇସି ତଥ୍ୟ ପରିବର୍ତ୍ତନ କରାଯାଇଥିଲା । ଏହାପରେ ହିତାଧିକାରୀଙ୍କ ଅଜାଣତରେ ଟଙ୍କା ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇ ଆତ୍ମସାତ କରାଯାଇଥିବା କୁହାଯାଉଛି ।ଜୟପୁର ପୋଷ୍ଟାଲ୍‌ ଡିଭିଜନ୍‌ ଅଧୀନରେ ୭୦୦ଟି ଗ୍ରାମୀଣ ପୋଷ୍ଟ ଅଫିସ ଓ ୪୧ଟି ସବ୍‌ ପୋଷ୍ଟ ଅଫିସ ରହିଛି । ଏହି ଡିଭିଜନ୍‌ରେ ୨୫ ହଜାରରୁ ଅଧିକ ଆକାଉଣ୍ଟ ଥିବାବେଳେ ପ୍ରାୟ ୫ ହଜାର ଆକାଉଣ୍ଟରୁ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି ।

ଅଧିକାଂଶ ଘଟଣା ସବ୍‌ ପୋଷ୍ଟ ଅଫିସ ମାଧ୍ୟମରେ ହୋଇଥିବା ସୂଚନା ମିଳିଛି । ତଦନ୍ତରେ କୋଡ଼ିଗାଁ ସବ୍‌ ପୋଷ୍ଟ ମାଷ୍ଟର ନିଜ ନାଁରେ ୯୦ଟି ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି । ମୂଳ ହିତାଧିକାରୀଙ୍କ ମୋବାଇଲ୍‌ ନମ୍ବର ବଦଳାଇ ଦିଆଯାଇଥିବାରୁ ସେମାନେ ଟଙ୍କା ଉଠାଣ ସମ୍ପର୍କିତ କୌଣସି ସୂଚନା ପାଇପାରୁନଥିଲେ । ଏହା ଫଳରେ ହିତାଧିକାରୀଙ୍କ ଅଜାଣତରେ ଟଙ୍କା ଉଠାଯାଇଥିବା ଅଭିଯୋଗ ହେଉଛି ।ସେପଟେ ଝରିଗାଁ ସବ୍‌ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ ମଧ୍ୟ ୭ ଲକ୍ଷ ୭୦ ହଜାର ଟଙ୍କା ଆତ୍ମସାତ ଅଭିଯୋଗ ରହିଛି । ବିଭାଗୀୟ ତଦନ୍ତ ସମୟରେ ଟଙ୍କା ଆତ୍ମସାତ କଥା ସ୍ୱୀକାର କରାଯାଇଥିବା କୁହାଯାଇଛି । ଝରିଗାଁ, ଡାବୁଗାଁ ଓ କୋଡ଼ିଙ୍ଗା ସବ୍‌ ପୋଷ୍ଟ ଅଫିସରେ ବିନା କେୱାଇସିରେ ଟଙ୍କା ଉଠାଣ ହୋଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି ।

ମନରେଗା ସହ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଟଙ୍କା ପୋଷ୍ଟ ଅଫିସ ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସୁଥିଲା । ଯେଉଁ ଆକାଉଣ୍ଟରୁ ଦୀର୍ଘଦିନ ଧରି ଟଙ୍କା ଉଠାଯାଉନଥିଲା, ସେଗୁଡ଼ିକୁ ଚିହ୍ନଟ କରି ଟଙ୍କା ଅନ୍ୟ ଆକାଉଣ୍ଟକୁ ନେଇଯାଇଥିବା ଅଭିଯୋଗ ହୋଇଛି । ଗ୍ରାମାଞ୍ଚଳରେ ଡିଜିଟାଲ୍‌ ପେମେଣ୍ଟ ଓ ୟୁପିଆଇ ବିଷୟରେ ସଂପୂର୍ଣ୍ଣ ଅବଗତ ନଥିବା ଲୋକଙ୍କୁ ଟାର୍ଗେଟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସିବିଆଇ ତଦନ୍ତ ଦାବି କରିଛନ୍ତି । ହିତାଧିକାରୀଙ୍କ ଟଙ୍କା ତୁରନ୍ତ ଫେରାଯାଇନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ବିଜେଡି ନେତାମାନେ ମଧ୍ୟ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *