ନ୍ୟୁଜ ଡେକ୍ସ : ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହୋଇପଡିଛି ସାରା ଓଡ଼ିଶା । ରାଜ୍ୟରେ ତାତିର ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ଆଗାମୀ ୫ ଦିନ ଯାଏ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସିଭିୟର ହିଟୱେଭ ପାଇଁ ଆଜି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ସକାଳୁ ସକାଳୁ ତାତିର ପ୍ରଭାବ ଲୋକଙ୍କୁ କଲବଲ କରୁଛି ।
ସକାଳ ୯ଟାରୁ ଖରାର ତେଜ ବଢିଯାଉଥିବା ବେଳେ ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ରାସ୍ତାଘାଟ ଶୂନଶାନ ହୋଇଯାଉଥିବା ଦେଖିବାକୁ ମିଳୁଛି । ଉପକୂଳ ଓଡ଼ିଶାରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅଧିକ ଅସ୍ତବ୍ୟସ୍ତ କରୁଛି ।ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ସର୍ବାଧିକ ରହିଛି । ଗତକାଲି ୪୫ ଦଶମିକ ୮ ଡିଗ୍ରୀ ସେଲସିୟସ୍ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରେକର୍ଡ କରାଯାଇଥିଲା ।
ପଶ୍ଚିମ ଓଡ଼ିଶାରେ ଆକାଶରୁ ନିଆଁ ବର୍ଷୁଥିବା ଭଳି ପରିସ୍ଥିତି ରହିଥିବା ବେଳେ ଉପକୂଳ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଲୋକଙ୍କ ଦୁର୍ଭୋଗ ବଢାଇଦେଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ୨୮ ତାରିଖ ଯାଏ ଗ୍ରୀଷ୍ମଲହରୀ ଓ ଗରମ ଗୁଳୁଗୁଳିର ପ୍ରଭାବ ଜାରି ରହିବ । ଏହାସହ ମେ ଶେଷ ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନେଇ ମଧ୍ୟ IMD ପୂର୍ବାନୁମାନ କରିଛି ।

