ନ୍ୟୁଜ ଡେକ୍ସ : ଆଉ ପ୍ରେସକ୍ରିପସନ ବିନା ସ୍ନାୟୁଗତ ଯନ୍ତ୍ରଣା ପାଇଁ ବ୍ୟବହୃତ ‘ପ୍ରେଗାବାଲିନ’ ଔଷଧ ମିଳିବନି। କେବଳ ପଞ୍ଜୀକୃତ ଚିକିତ୍ସକଙ୍କ ପ୍ରେସକ୍ରିପସନ ଦେଖାଇବା ପରେ ହିଁ ଏହି ଔଷଧ ବିକ୍ରି କରାଯିବ। ଏନେଇ କେନ୍ଦ୍ର ସରକାର ଏକ ନୂଆ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗେଜେଟରେ ପ୍ରକାଶିତ ନୂଆ ନିୟମ ଆସନ୍ତା ୬ ମାସ ମଧ୍ୟରେ ସାରା ଦେଶରେ କାର୍ଯ୍ୟକାରୀ ହେବ।
କେନ୍ଦ୍ର ସରକାରଙ୍କ ଏହି ନୂଆ ନିୟମ ଅନୁସାରେ ଔଷଧ ନିର୍ମାତା, ବିତରକ, ହୋଲସେଲର, ରିଟେଲର ଓ ଫାର୍ମାସିଷ୍ଟମାନଙ୍କୁ ବିଜ୍ଞପ୍ତିରେ ଥିବା ସମସ୍ତ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି।‘ପ୍ରେଗାବାଲିନ’ ଔଷଧକୁ ଯୁବପିଢି ନିଶାଦ୍ରବ୍ୟ ଭାବେ ବ୍ୟବହାର କରୁଥିବା ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଏହାର ବିକ୍ରି ଉପରେ କଡା ନିୟନ୍ତ୍ରଣ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ଔଷଧର ଅପବ୍ୟବହାର ରୋକିବା ଏବଂ ଯୁବପିଢିଙ୍କୁ ନିଶାରୁ ଦୂରେଇ ରଖିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।ଡ୍ରଗ୍ସ ଏବଂ କସମେଟିକ୍ସ ନିୟମ ୧୯୪୫ ଅଧୀନରେ ପୂର୍ବରୁ ‘ସିଡ୍ୟୁଲ୍ ଏଚ୍’ରେ ଥିବା ପ୍ରେଗାବାଲିନକୁ ବର୍ତ୍ତମାନ ‘ସିଡ୍ୟୁଲ୍ ଏଚ୍-୧’ ଅଧୀନକୁ ଆଣାଯାଇଛି। ଏହି ନୂଆ ସଂଶୋଧିତ ବର୍ଗୀକରଣ ଅନୁଯାୟୀ ଦୋକାନୀମାନେ କେବଳ ବୈଧ ପ୍ରେସକ୍ରିପସନ ଦେଖିବା ପରେ ହିଁ ଔଷଧ ବିକ୍ରି କରିପାରିବେ। ଏହା ସହ ଔଷଧ ବିକ୍ରିର ସମସ୍ତ ତଥ୍ୟ ରେକର୍ଡ ରଖିବାକୁ ମଧ୍ୟ ନିୟମରେ ବ୍ୟବସ୍ଥା ରହିଛି।

