ନ୍ୟୁଜ ଡେକ୍ସ : ବ୍ରିକ୍ସ ରାଷ୍ଟ୍ରସମୂହର ‘ଡିଜାଷ୍ଟର ରିସ୍କ ରିଡକ୍ସନ ୱର୍କିଂ ଗ୍ରୁପ୍’ର ଦ୍ୱିତୀୟ ବୈଷୟିକ ସମ୍ମିଳନୀ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ପୁରୀର ତାଜ୍ ପୁରୀ ରିସୋର୍ଟରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।
ଏହି ସମ୍ମିଳନୀରେ ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚାଇନା ଆଦି ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁଭବ ବିନିମୟ ସହ ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ବିସ୍ତୃତ ଆଲୋଚନା ହେବ।ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ଚୟନ କରାଯାଇଥିବାର ପଛରେ ରାଜ୍ୟର ସୁଦୃଢ଼ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବ୍ୟବସ୍ଥା ରହିଛି। ବିଶେଷକରି ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ପାଇଁ ଓଡ଼ିଶା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ଲାଭ କରିଆସିଛି।
ଏହି ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ ଓ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ପୁରୀରେ ଏପରି ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ବିଶ୍ୱସ୍ତରରେ ଆହୁରି ପ୍ରଚାରିତ କରିବ ବୋଲି କୁହାଯାଇଛି।

