ନ୍ୟୁଜ ଡେକ୍ସ : ପ୍ରଯୁକ୍ତିବିଦ୍ୟା-ଚାଳିତ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି କିଟ ବିଶ୍ୱବିଦ୍ୟାଳୟ। ‘ଇଣ୍ଟେଲିଜେଣ୍ଟ ସେନ୍ସର ଡିଭାଇସ୍ ଫର୍ ଅଟୋମେଟେଡ୍ ୱାଇଲ୍ଡଲାଇଫ୍ ମନିଟରିଂ’ ନାମକ ଏକ ଅଭିନବ ଉପକରଣକୁ ଡିଜାଇନ୍ ପେଟେଣ୍ଟ ପ୍ରଦାନ କରାଯାଇଛି। ଏହା କିଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବା ବେଳେ ଗବେଷଣା-ଆଧାରିତ ପରିବେଶ ସୁରକ୍ଷା କ୍ଷେତ୍ରରେ ଏହାର ଅବଦାନକୁ ଆହୁରି ସୁଦୃଢ଼ କରିବ ବୋଲି କୁହାଯାଉଛି।
କିଟ୍ ଲ୍ୟାବରେ ବିକଶିତ ଏହି ଅତ୍ୟାଧୁନିକ ପ୍ରଯୁକ୍ତିର ମୂଳ ଉଦ୍ଦେଶ୍ୟ ହେଉଛି ସେନ୍ସର-ଆଧାରିତ ବ୍ୟବସ୍ଥା ମାଧ୍ୟମରେ ବନ୍ୟପ୍ରାଣୀ ତଦାରଖ ଏବଂ ଜୈବ ବିବିଧତା ସଂରକ୍ଷଣ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା। ଏହି ଡିଭାଇସ୍ ପ୍ରାକୃତିକ ବାସସ୍ଥାନରେ ମାନବ ହସ୍ତକ୍ଷେପକୁ କମାଇବା ସହିତ ବନ୍ୟପ୍ରାଣୀ ନିରୀକ୍ଷଣ ଏବଂ ଜୈବ ବିବିଧତା ପର୍ଯ୍ୟବେକ୍ଷଣକୁ ଅଧିକ କ୍ଷମତାଶାଳୀ ଓ ସଠିକ୍ କରିବାକୁ ସକ୍ଷମ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ପ୍ରକଳ୍ପ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥ ନୀଳାନ୍ନଭରଙ୍କ ମାର୍ଗଦର୍ଶନରେ ପରିଚାଳିତ ହୋଇଥିଲା। କିଟ୍ର ସହକାରୀ ରେଜିଷ୍ଟ୍ରାର ପ୍ରଫେସର ମନୋଜ ଉକାମନାଲଏହି ଉପକରଣର କାର୍ଯ୍ୟାନ୍ୱୟନ ଓ ତଦାରଖର ଦାୟିତ୍ୱ ନେଇଥିଲେ। ବନ କର୍ତ୍ତୃପକ୍ଷ ଓ ଶିକ୍ଷାଗତ ଗବେଷକଙ୍କ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଏହି ପ୍ରକଳ୍ପ ସଫଳତାର ସହ ଆଗକୁ ବଢ଼ିଥିବା କୁହାଯାଇଛି।କେବଳ ଡିଭାଇସ୍ର ଉଦ୍ଭାବନ ନୁହେଁ, ବରଂ ପେଟେଣ୍ଟ ପଞ୍ଜିକରଣ ଏବଂ ବୌଦ୍ଧିକ ସମ୍ପତ୍ତି ସହାୟତା କ୍ଷେତ୍ରରେ ମଧ୍ୟ କିଟ୍ର ବିଭିନ୍ନ ବିଭାଗ ସକ୍ରିୟ ଭୂମିକା ନେଇଛି।
କିଟ୍ ଲ ସ୍କୁଲର ସହଯୋଗୀ ପ୍ରଫେସର ଇପ୍ସିତା ଦାସ ଓ ତୁଲିଶ୍ରୀ ପ୍ରଧାନ ପେଟେଣ୍ଟ ପଞ୍ଜିକରଣ ପ୍ରକ୍ରିୟା ଏବଂ ଶିକ୍ଷାଗତ ସମନ୍ୱୟକୁ ସହଜ କରିବାରେ ବିଶେଷ ସହଯୋଗ କରିଥିଲେ।ଏହି ପ୍ରକଳ୍ପର ଧାରଣା ଓ ରୂପରେଖା ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ‘ଇନୋଭେସନ ସେଲ୍’ରେ ପ୍ରସ୍ତୁତ କରାଯାଇଥିଲା। ଏହା ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞତା ଏବଂ କ୍ଷେତ୍ରସ୍ତରୀୟ ସଂରକ୍ଷଣ ଆବଶ୍ୟକତା ମଧ୍ୟରେ ଏକ ସଫଳ ସମନ୍ୱୟର ଉଦାହରଣ ବୋଲି କୁହାଯାଉଛି। ବନ୍ୟପ୍ରାଣୀ ତଦାରଖ ପାଇଁ ଏକ ସ୍ମାର୍ଟ, କମ୍ ଅନୁପ୍ରବେଶକାରୀ ଓ ଅଧିକ କାର୍ଯ୍ୟକ୍ଷମ ବ୍ୟବସ୍ଥା ଗଢ଼ି ତୋଳିବା ହେଉଛି ଏହି ଉପକରଣର ପ୍ରମୁଖ ଲକ୍ଷ୍ୟ।
ପ୍ରକଳ୍ପରେ କାମ କରୁଥିବା ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ପ୍ରଯୁକ୍ତି ଭବିଷ୍ୟତରେ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ନୂଆ ଦିଗ ଖୋଲିବ। ଏହା ଅଧିକ ବୁଦ୍ଧିମାନ, କମ୍ ଅନୁପ୍ରବେଶକାରୀ ଏବଂ କ୍ଷେତ୍ରସ୍ତରୀୟ ଜୈବ ବିବିଧତା ତଦାରଖ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ହେବ। ବନ୍ୟପ୍ରାଣୀଙ୍କ ପ୍ରାକୃତିକ ଚଳଚଳନକୁ ବାଧା ନଦେଇ ସେମାନଙ୍କ ଗତିବିଧି ଉପରେ ନଜର ରଖିବାରେ ଏହି ଉପକରଣ ବଡ଼ ଭୂମିକା ନେବ ବୋଲି ଆଶା କରାଯାଉଛି।

