ନ୍ୟୁଜ ଡେକ୍ସ : ରାଜ୍ୟରେ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ସମୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୨ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷା ସକାଳ ୯ଟାରୁ ଦିନ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ସକାଳ ୯ଟାରୁ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ।ପ୍ରକାଶିତ ପରୀକ୍ଷା ସୂଚୀ ଅନୁଯାୟୀ, ଜୁଲାଇ ୨ ତାରିଖରେ ପ୍ରଥମ ଦିନରେ ମାତୃଭାଷା ବିଷୟର ପରୀକ୍ଷା ହେବ।
ସେହିପରି ଜୁଲାଇ ୪ ତାରିଖରେ ଇଂରାଜୀ ପରୀକ୍ଷା ହେବାକୁ ଥିବାବେଳେ ଜୁଲାଇ ୫ରେ ଟିଏଲ୍ଭି ପ୍ରାକ୍ଟିକାଲ୍ ପରୀକ୍ଷା ଆୟୋଜିତ ହେବ। ଜୁଲାଇ ୬ ତାରିଖରେ ଗଣିତ ପରୀକ୍ଷା ହେବାକୁ ଥିବା ବେଳେ ଜୁଲାଇ ୮ରେ ସାଧାରଣ ବିଜ୍ଞାନ ଏବଂ ଜୁଲାଇ ୯ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ଶେଷ ଦିନ ଅର୍ଥାତ୍ ଜୁଲାଇ ୧୦ ତାରିଖରେ ସଂସ୍କୃତ ଓ ହିନ୍ଦୀ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାକୁ ସୁଚାରୁ ଭାବେ ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ କଡ଼ା ନଜରଦାରି ବ୍ୟବସ୍ଥା କରାଯିବା ସହ ପରୀକ୍ଷାର ସ୍ୱଚ୍ଛତା ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।
ପରୀକ୍ଷାର୍ଥୀମାନଙ୍କୁ ନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବା ସହ ଆଡମିଟ୍ କାର୍ଡ ନେଇ ଆସିବାକୁ ପରାମର୍ଶ ଦିଆଯାଇଛି।ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ବା ଏସ୍ଓଏସ୍ସି ପରୀକ୍ଷା ମଧ୍ୟ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ପାଇଁ ମଧ୍ୟ ସମାନ ଧରଣର ବ୍ୟବସ୍ଥା କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ଏହି ପରୀକ୍ଷା ସେମାନଙ୍କୁ ଆଉଥରେ ସଫଳତା ହାସଲ କରିବାର ସୁଯୋଗ ଦେବ ବୋଲି ଶିକ୍ଷାବିଦ୍ମାନେ ମତ ପ୍ରକାଶ କରିଛନ୍ତି।

