ନ୍ୟୁଜ ଡେକ୍ସ : ସମଗ୍ର ବିଶ୍ୱରେ ଦେଖାଦେଉଥିବା ତୈଳ ସଙ୍କଟ ଏବଂ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଡିଜେଲ୍ ଚାଳିତ ବୋଟ୍ ବଦଳରେ ଇଭି, ସୋଲାର ଓ ସିଏନଜି ସୁବିଧାଯୁକ୍ତ ଅତ୍ୟାଧୁନିକ ବୋଟ୍ ଚାଲିବ। ଏନେଇ ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି।
ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକରେ ଆଧୁନିକ ଓ ପରିବେଶ ଅନୁକୂଳ ବୋଟିଂ ବ୍ୟବସ୍ଥା ଆରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି। ଚିଲିକା, ତାମ୍ପରା, ଅଂଶୁପା, ସିଲ୍ଭର ସିଟି ବୋଟ୍ କ୍ଲବ୍, ସାତକୋଶିଆ, ଡେବ୍ରିଗଡ଼, ହୀରାକୁଦ ଓ ଭିତରକନିକା ଭଳି ସ୍ଥାନରେ ବର୍ତ୍ତମାନ ବୋଟିଂ ସୁବିଧା ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କୋଲାବ, ହୀରାକୁଦ, ଭିତରକନିକା ଓ ବରକୁଳରେ ଇଭି ବୋଟ୍ ସେବା ଆରମ୍ଭ ହେବ। ସରକାରଙ୍କ ଯୋଜନା ଅନୁସାରେ, ଏହି ବୋଟ୍ଗୁଡ଼ିକରେ ସୋଲାର, ଇଭି ଓ ସିଏନଜି ପ୍ରଯୁକ୍ତିର ସୁବିଧା ରହିବ। ଯେଉଁ ଏଜେନ୍ସି ଟେଣ୍ଡର ପାଇବ, ସେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପାଇଁ ୫ଟି ବିଳାସପୂର୍ଣ୍ଣ କାଟାମାରାନ୍, ସୋଲାର ଓ ଇଭି ବୋଟ୍ ଚଲାଇବ।
ଏହା ଦ୍ୱାରା ପର୍ଯ୍ୟଟକମାନେ ଆଧୁନିକ ଓ ଆରାମଦାୟକ ବୋଟିଂ ସେବା ପାଇବା ସହ ପରିବେଶ ଉପରେ ପ୍ରଦୂଷଣର ପ୍ରଭାବ ମଧ୍ୟ କମିବ।ଟେଣ୍ଡର ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର କୋଲାବ ପାଇଁ ୩୦ ଆସନ ବିଶିଷ୍ଟ ବୋଟ୍ ବ୍ୟବସ୍ଥା ରହିଛି। ସେହିପରି ସମ୍ବଲପୁର ଜିଲ୍ଲାର ହୀରାକୁଦର ର ଦୁଇଟି ସ୍ଥାନ ପାଇଁ ବୋଟ୍ ଚଳାଚଳ କରିବ। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ପାଇଁ ୨୦ ଆସନ ବିଶିଷ୍ଟ ବୋଟ୍ ରହିବାକୁ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ହ୍ରଦ ବରକୁଳ ଅଞ୍ଚଳ ପାଇଁ ୮ ଆସନ ବିଶିଷ୍ଟ ବୋଟ୍ ଚାଲିବ।ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ କହିବା ଅନୁସାରେ, ଖୁବ୍ ଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଦିଗ ମିଳିବା ସହ ଇକୋ-ଫ୍ରେଣ୍ଡଲି ପର୍ଯ୍ୟଟନକୁ ଅଧିକ ପ୍ରୋତ୍ସାହନ ମିଳିବ। ପରିବେଶ ସୁରକ୍ଷା ସହ ଆଧୁନିକ ପର୍ଯ୍ୟଟନ ବ୍ୟବସ୍ଥାର ସମନ୍ୱୟ କରିବା ହେଉଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି।

