ନ୍ୟୁଜ ଡେକ୍ସ : ଦୃଢ଼ ଇଚ୍ଛାଶକ୍ତି ଏବଂ ଅକ୍ଳାନ୍ତ ପରିଶ୍ରମ ଥିଲେ ସଫଳତା ନିଶ୍ଚିତ ମିଳେ। ଏହାକୁ ପ୍ରମାଣ କରିଦେଇଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ସହରର କେନ୍ଦୁଗୁଡ଼ା ନିବାସୀ ନବୀନକୁମାର ଗୁପ୍ତା। ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ ସେ ୧୯ତମ ସ୍ଥାନ ଅଧିକାର କରି ସଫଳତା ହାସଲ କରିଛନ୍ତି। ନବୀନଙ୍କ ଏହି କୃତିତ୍ୱ ଏବେ ସମଗ୍ର କୋଟପାଡ଼ ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛି।
ନବୀନଙ୍କ ସଫଳତା ପଛରେ ରହିଛି ଅନେକ ସଂଘର୍ଷ ଓ ତ୍ୟାଗର କାହାଣୀ। ତାଙ୍କ ବାପା ବୀରେନ୍ଦ୍ରକୁମାର ଗୁପ୍ତା ଦୀର୍ଘ ବର୍ଷ ଧରି କୋଟପାଡ଼ ଅଞ୍ଚଳରେ ଫେରିବାଲା ଭାବେ ଗାଁ ଗାଁ ବୁଲି ଶାଢ଼ି ବିକ୍ରି କରୁଛନ୍ତି। ସୀମିତ ଆୟ ଓ ଆର୍ଥିକ ଅସୁବିଧା ସତ୍ତ୍ୱେ ସେ ଏବଂ ତାଙ୍କ ପତ୍ନୀ ମୁନି ଦେବୀ ପୁଅକୁ ଉଚ୍ଚ ପଦବୀରେ ଦେଖିବାର ସ୍ୱପ୍ନ ଦେଖିଥିଲେ। ପରିବାରର ଅଭାବ ମଧ୍ୟରେ ମଧ୍ୟ ସେମାନେ ନବୀନଙ୍କ ଶିକ୍ଷାରେ କେବେ ବାଧା ଆସିବାକୁ ଦେଇନଥିଲେ।ନବୀନ ମଧ୍ୟ ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦୀର୍ଘ ସାତ ବର୍ଷ ଧରି ନିରନ୍ତର ପରିଶ୍ରମ କରିଥିଲେ। ଅନେକ ବାଧାବିଘ୍ନ ଓ ସଂଘର୍ଷ ସତ୍ତ୍ୱେ ସେ ନିଜ ଲକ୍ଷ୍ୟରୁ କେବେ ପଛକୁ ହଟିନଥିଲେ। ଶେଷରେ ତାଙ୍କର ଅଦମ୍ୟ ପରିଶ୍ରମ ଫଳ ଦେଇଛି ଏବଂ ସେ ଓସିଏସ୍ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି। ନବୀନଙ୍କ ସଫଳତା
ଖବର ପ୍ରକାଶ ପାଇବା ପରେ କୋଟପାଡ଼ ସହରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ତାଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଉଥିବା ବେଳେ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମହଳରୁ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ସାଧାରଣ ପରିବାରରୁ ଆସିଥିବା ନବୀନଙ୍କ ଏହି ସଫଳତା ଅନେକ ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ପାଲଟିଛି।ନବୀନ କହିଛନ୍ତି ଯେ, ଜୀବନରେ ଯେତେ ସମସ୍ୟା ଆସୁନାହିଁ କାହିଁକି, ଲକ୍ଷ୍ୟ ପ୍ରତି ନିଷ୍ଠା ଓ କଠିନ ପରିଶ୍ରମ ଥିଲେ ସଫଳତା ନିଶ୍ଚିତ ମିଳିଥାଏ। ସେ ନିଜ ସଫଳତାର ଶ୍ରେୟ ପିତାମାତାଙ୍କ ତ୍ୟାଗ, ଆଶୀର୍ବାଦ ଓ ନିଜର ଅଧ୍ୟବସାୟକୁ ଦେଇଛନ୍ତି।

