ନ୍ୟୁଜ ଡେକ୍ସ : ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ଚଳିତ ମାସ ୩୦ କିମ୍ବା ୩୧ ତାରିଖ ସୁଦ୍ଧା କେରଳରେ ମୌସୁମୀ ସକ୍ରିୟ ହୋଇପାରେ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ପାଣିପାଗ ମଡେଲ ଅନୁସାରେ ମେ’ ୩୦ରୁ ଜୁନ ୩ ମଧ୍ୟରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।ତେବେ ବାୟୁମଣ୍ଡଳରେ ପରିବର୍ତ୍ତନ ପ୍ରକ୍ରିୟା ମନ୍ଥର ରହିଲେ ଏବଂ ବାୟୁ ପ୍ରବାହ ଠିକ୍ ଭାବେ ସଂଗଠିତ ନହେଲେ ମୌସୁମୀ ଆସିବାରେ ଆଉ ୧ରୁ ୩ ଦିନ ବିଳମ୍ବ ହୋଇପାରେ।
ହେଲେ ଏହି ବିଳମ୍ବର ଅର୍ଥ ମୌସୁମୀ ଦୁର୍ବଳ ହୋଇଯିବା ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ବର୍ତ୍ତମାନ ଆରବ ସାଗର ଏବଂ ଦକ୍ଷିଣ ଦ୍ୱୀପକଳ୍ପ ଅଞ୍ଚଳରେ ମୌସୁମୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇସାରିଛି। ନିରନ୍ତର ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହ, ପଶ୍ଚିମ ଉପକୂଳରେ ସକ୍ରିୟ ଅଫ୍ସୋର ଟ୍ରଫ୍, ଦିନରେ କମ୍ ତାପମାତ୍ରା ଏବଂ କେରଳ ସହ ଲାକ୍ଷାଦ୍ୱୀପରେ ବ୍ୟାପକ ବର୍ଷା ମୌସୁମୀର ଶକ୍ତିଶାଳୀ ଆଗମନକୁ ସୂଚାଉଛି। ଅନ୍ୟପଟେ ଓଡ଼ିଶାରେ ମୌସୁମୀ ପହଞ୍ଚିବା ପୂର୍ବରୁ ପାଗରେ ଲଗାତାର ପରିବର୍ତ୍ତନ ଦେଖାଯିବ।
ଉପକୂଳ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ବଢ଼ିବା ସହ ରାତିରେ ଅଧିକ ଗରମ ଅନୁଭୂତ ହେବ। ସେହିପରି ବଜ୍ରପାତ ଓ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ।ପଶ୍ଚିମ ଓଡ଼ିଶାରେ କିନ୍ତୁ ଆହୁରି କିଛି ଦିନ କଡ଼ା ଖରା ଜାରି ରହିପାରେ। ଡକ୍ଟର ପଶୁପାଳକଙ୍କ ସୂଚନା ଅନୁଯାୟୀ, ଜୁନ ଆରମ୍ଭ ବେଳକୁ ରାଜ୍ୟରେ କାଳବୈଶାଖୀର ସକ୍ରିୟ ପ୍ରଭାବ ଦେଖିବାକୁ ମିଳିପାରେ। ଯଦି ବଙ୍ଗୋପସାଗରରେ ବାୟୁ ପ୍ରବାହ ଆଶାନୁରୂପ ଶକ୍ତିଶାଳୀ ନରୁହେ, ତେବେ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ମୌସୁମୀ ଅନୁଭୂତ ହେବାକୁ ଜୁନ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ।

