Wed. Jun 3rd, 2026

ନ୍ୟୁଜ ଡେକ୍ସ : ଭୂମିକମ୍ପ ପ୍ରଭାବିତ ନେପାଳର ପୁନର୍ଗଠନ ଓ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ଭାରତ ପୁଣିଥରେ ସହଯୋଗର ହାତ ବଢ଼ାଇଛି। ନେପାଳର ୮ଟି ଭୂମିକମ୍ପ ପ୍ରଭାବିତ ଜିଲ୍ଲାରେ ୧୪ଟି ନୂତନ ବିଦ୍ୟାଳୟ ନିର୍ମାଣ ପାଇଁ ଭାରତ ୫୬୦.୨ ମିଲିୟନ ନେପାଳୀ ଟଙ୍କା, ଅର୍ଥାତ୍ ପ୍ରାୟ ୩୫.୧ କୋଟି ଟଙ୍କାର ଅନୁଦାନ ସହାୟତା ଘୋଷଣା କରିଛି।୨୦୧୫ ମସିହାରେ ନେପାଳରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ବ୍ୟାପକ ଧ୍ୱଂସଲୀଳା ଘଟିଥିଲା। ଏହି ବିପର୍ଯ୍ୟୟରେ ପ୍ରାୟ ୯ ହଜାର ଲୋକଙ୍କ ଜୀବନହାନି ଘଟିଥିବା ବେଳେ ହଜାର ହଜାର ଘର, ସ୍କୁଲ ଓ ସରକାରୀ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା।

ଏହାର ଏକ ଦଶନ୍ଧି ପରେ ମଧ୍ୟ ଦେଶରେ ପୁନର୍ନିର୍ମାଣ କାର୍ଯ୍ୟ ଜାରି ରହିଛି।ଭାରତ ସରକାରଙ୍କ ସହାୟତାରେ ଚାଲିଥିବା ପୁନର୍ନିର୍ମାଣ କାର୍ଯ୍ୟକ୍ରମ ଅଧୀନରେ ନେପାଳର ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସ୍ତରୀୟ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ୟୁନିଟ୍‌ ସହ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ନୂତନ ବିଦ୍ୟାଳୟଗୁଡ଼ିକ ଗୋରଖା, ନୁୱାକୋଟ, ଧାଦିଂ, ଦୋଲଖା, କାଠମାଣ୍ଡୁ, କାଭ୍ରେପାଲାଞ୍ଚୋକ, ରାମେଚ୍ଛାପ ଏବଂ ସିନ୍ଧୁପାଲଚୋକ ଜିଲ୍ଲାରେ ନିର୍ମାଣ କରାଯିବ। ଏହି ବିଦ୍ୟାଳୟଗୁଡ଼ିକ ନେପାଳ ସରକାରଙ୍କ ଭୂମିକମ୍ପ-ପ୍ରତିରୋଧୀ ନିର୍ମାଣ ନିୟମାବଳୀ ଅନୁଯାୟୀ ଗଢ଼ାଯିବ। ଏଥିରେ ଆଧୁନିକ ଶୈକ୍ଷିକ ବ୍ଲକ, ସମ୍ପୂର୍ଣ୍ଣ ସୁସଜ୍ଜିତ ଶ୍ରେଣୀଗୃହ ଏବଂ ପୁଅ ଓ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ବ୍ୟବସ୍ଥା ରହିବ।

ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ୨୦୨୪ରେ ଭାରତ ଏହାର ଭୂମିକମ୍ପ ପରବର୍ତ୍ତୀ ପୁନର୍ନିର୍ମାଣ ଅନୁଦାନ କାର୍ଯ୍ୟକ୍ରମ ଅଧୀନରେ ନେପାଳର ୮ଟି ଜିଲ୍ଲାରେ ୭୦ଟି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଶେଷ କରି ହସ୍ତାନ୍ତର କରିଥିଲା। ଏହାସହ କାଠମାଣ୍ଡୁସ୍ଥିତ ତ୍ରିଭୁବନ ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ ପାଠାଗାର ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରି ନେପାଳକୁ ହସ୍ତାନ୍ତର କରାଯାଇଥିଲା।ନେପାଳର ପୁନର୍ଗଠନ ଏବଂ ଶିକ୍ଷା କ୍ଷେତ୍ରର ବିକାଶରେ ଭାରତର ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ବନ୍ଧୁତ୍ୱ ଓ ସହଭାଗିତାକୁ ଆହୁରି ଦୃଢ଼ କରିବ ବୋଲି ମନେ କରାଯାଉଛି।

Leave a Reply

Your email address will not be published. Required fields are marked *