ନ୍ୟୁଜ ଡେକ୍ସ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ‘ସ୍କାଏକାଷ୍ଟ’ ନାମକ ଏକ ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ପ୍ରଣାଳୀର ଶୁଭାରମ୍ଭ କରାଯାଇଛି। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ର ମିଳିତ ଉଦ୍ୟମରେ ଏହି ପ୍ରଣାଳୀ କାର୍ଯ୍ୟକ୍ଷମ ହୋଇଛି।‘ସ୍କାଏକାଷ୍ଟ’ ହେଉଛି ଏକ ଉନ୍ନତ ଆଭିଏସନ ୱେଦର ଇଣ୍ଟେଲିଜେନ୍ସ ଓ ନାଓକାଷ୍ଟିଂ ସିଷ୍ଟମ, ଯାହା ବିମାନବନ୍ଦର ଓ ବିମାନ ଚଳାଚଳ ପାଇଁ ପ୍ରକୃତ ସମୟରେ ପାଣିପାଗ ସୂଚନା ଯୋଗାଇବ।
ପ୍ରବଳ ପବନ, ପବନର ଦିଗ ଓ ବେଗରେ ହଠାତ୍ ପରିବର୍ତ୍ତନ, କୁହୁଡ଼ି, ଝଡ଼, ବର୍ଷା, ବରଫପାତ ଓ ବାୟୁମଣ୍ଡଳୀୟ ଅଶାନ୍ତି ଭଳି ପରିସ୍ଥିତି ଉପରେ ଏହା ନିରନ୍ତର ନଜର ରଖିବ।ଦିଲ୍ଲୀ ବିମାନବନ୍ଦର ଭାରତର ପ୍ରଥମ ବିମାନବନ୍ଦର ଭାବେ ଏପରି ଏକ ସମନ୍ୱିତ ଏବଂ ଉଚ୍ଚ-ପ୍ରଯୁକ୍ତି ପାଣିପାଗ ନିରୀକ୍ଷଣ ବ୍ୟବସ୍ଥାକୁ ଗ୍ରହଣ କରିଛି। ଏହି ପ୍ରଣାଳୀ ମାଧ୍ୟମରେ ଉଡ଼ାଣ ଓ ଅବତରଣ ସମୟରେ ସୁରକ୍ଷା ବୃଦ୍ଧି ପାଇବା ସହିତ ଖରାପ ପାଗ କାରଣରୁ ହେଉଥିବା ବିଳମ୍ବ ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।ପାଇଲଟ୍ ଓ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ କର୍ମଚାରୀମାନେ ପ୍ରକୃତ ସମୟରେ ପାଣିପାଗ ସୂଚନା ପାଇପାରିବେ, ଯାହା ସେମାନଙ୍କୁ ଶୀଘ୍ର ଓ ସଠିକ୍ ନିଷ୍ପତ୍ତି ନେବାରେ ସହାୟକ ହେବ। ଏହା ଫଳରେ ଯାତ୍ରୀମାନେ ମଧ୍ୟ କମ୍ ବିଳମ୍ବ ଓ ଅଧିକ ସୁରକ୍ଷିତ ଯାତ୍ରାର ସୁବିଧା ପାଇବେ।ସିଷ୍ଟମର ପ୍ରମୁଖ ବୈଶିଷ୍ଟ୍ୟ ମଧ୍ୟରେ ପ୍ରତି ୫ ମିନିଟରେ ନାଓକାଷ୍ଟ ଅପଡେଟ୍, ୱିଣ୍ଡ ସିଅର୍ ଓ କୁହୁଡ଼ି ପାଇଁ ତୁରନ୍ତ ସତର୍କ ସୂଚନା ଏବଂ ରନୱେ ଭିତ୍ତିକ ପାଣିପାଗ ଚେତାବନୀ ବ୍ୟବସ୍ଥା ରହିଛି।
ଡିଆଇଏଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦେହ କୁମାର ଜୟପୁରିଆ କହିଛନ୍ତି ଯେ ପାଣିପାଗ ଦ୍ରୁତ ଗତିରେ ବଦଳୁଥିବାରୁ ସଠିକ୍ ଓ ସମୟୋଚିତ ସୂଚନା ଅତ୍ୟନ୍ତ ଜରୁରୀ। ଏହି ନୂତନ ବ୍ୟବସ୍ଥା ଯାତ୍ରୀ ସୁରକ୍ଷା ବଢ଼ାଇବା ସହ ଯାତ୍ରା ଅନୁଭୂତିକୁ ଆହୁରି ଉନ୍ନତ କରିବ।ଉଲ୍ଲେଖଯୋଗ୍ୟ, ଲଣ୍ଡନର ହିଥ୍ରୋ, ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦର, ନ୍ୟୁୟର୍କର ଜନ୍ ଏଫ୍ କେନେଡି ବିମାନବନ୍ଦର ଏବଂ ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦର ଭଳି ବିଶ୍ୱର ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ମଧ୍ୟ ଏପରି ଉନ୍ନତ ପାଣିପାଗ ନିରୀକ୍ଷଣ ପ୍ରଯୁକ୍ତି ବ୍ୟବହୃତ ହେଉଛି।

