Wed. Jun 3rd, 2026

ନ୍ୟୁଜ ଡେକ୍ସ : ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗକୁ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ପୋଲିସ କମିଶନରଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। ରିପୋର୍ଟ ମିଳିବା ପରେ ଘଟଣାର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି।ଅନ୍ୟପଟେ ଆହତ ଯୁବକ ରାକେଶ ବେହେରାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକାଶ କରିବା ସହ ପରିବାର ସଦସ୍ୟଙ୍କୁ ତାଙ୍କୁ ଭେଟିବାର ସୁଯୋଗ ମିଳୁନଥିବା ଅଭିଯୋଗରେ ସ୍ଥାନୀୟ ଚଣ୍ଡିପ୍ରସାଦ ଗାଁର ଲୋକେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଦିନ ପ୍ରାୟ ୨ଟାରୁ କଟକ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିବାରୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।ବାରଙ୍ଗ ପୋଲିସ ଷ୍ଟେସନ ଛକ ନିକଟରେ ଶତାଧିକ ଲୋକ ଏକତ୍ରିତ ହୋଇ ଧାରଣାରେ ବସିଥିଲେ। ଆନ୍ଦୋଳନକାରୀମାନଙ୍କ ଦାବି ଥିଲା, ପାଞ୍ଚ ଦିନ ତଳେ ପୋଲିସ ହେପାଜତରେ ଆହତ ହୋଇଥିବା ରାକେଶ ବେହେରାଙ୍କ ବର୍ତ୍ତମାନର ଅବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଉ ଏବଂ ପରିବାର ଲୋକଙ୍କୁ ତାଙ୍କ ସହ ଭେଟିବାର ସୁବିଧା ଯୋଗାଇ ଦିଆଯାଉ। ରାସ୍ତାରୋକ ଯୋଗୁଁ କଟକ ଓ ଭୁବନେଶ୍ୱର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା।

ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ ସେମାନେ ରାସ୍ତାରୁ ହଟିବାକୁ ରାଜି ହୋଇନଥିଲେ। ରାକେଶଙ୍କ ବାପା ଓ ମାଆ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯିବା ପରେ ବାରଙ୍ଗ ଥାନା ନିକଟରେ ୫ ପ୍ଲାଟୁନ୍ ଫୋର୍ସ ଓ ପ୍ରାୟ ୫୦ ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା। ତେବେ କଟକ ଡିସିପି ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଘଟଣାକୁ ନେଇ ତଦନ୍ତ ଓ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *