ନ୍ୟୁଜ ଡେକ୍ସ : ରାଜ୍ୟରେ ଗ୍ରୀଷ୍ମ ପ୍ରକୋପରୁ ସାମୟିକ ଆଶ୍ୱସ୍ତି ମିଳିବାକୁ ଯାଉଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଆହୁରି ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ତାତି କମ୍ ରହିବାର ସମ୍ଭାବନା ଥିବାବେଳେ, ଜୁନ୍ ୩ ତାରିଖରୁ ପୁଣି ତାପମାତ୍ରା ବଢ଼ିବା ଆରମ୍ଭ କରିବ। ଏହି ସମୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।ରବିବାର ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ଏହାସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଏବଂ ପ୍ରବଳ ପବନର ସମ୍ଭାବନା ରହିଛି। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ମଧ୍ୟ ବଜ୍ରପାତ ସହ ବର୍ଷା ହୋଇପାରେ।ଜୁନ୍ ୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଥିଲା।
ସମ୍ବଲପୁରରେ ସର୍ବାଧିକ ୪୧.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବୌଦ୍ଧରେ ୪୧.୨ ଓ ହୀରାକୁଦରେ ୪୦.୪ ଡିଗ୍ରୀ ରହିଥିଲା। ବଲାଙ୍ଗିରରେ ୩୯.୭, ନୟାଗଡ଼ରେ ୩୯.୬, ସୋନପୁର ଓ ଖୋର୍ଦ୍ଧାରେ ୩୯.୫ ଏବଂ ନବରଙ୍ଗପୁରରେ ୩୯.୪ ଡିଗ୍ରୀ ତାପମାତ୍ରା ଦର୍ଜ ହୋଇଥିଲା।ଏପଟେ ବିଳମ୍ବିତ ଓ ଅନିୟମିତ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ। ଜଳବାୟୁ ଜନିତ ବିପଦକୁ ମୁକାବିଲା ପାଇଁ ଫସଲ ବିବିଧକରଣକୁ ସେ ଏକ ପ୍ରଭାବଶାଳୀ ରଣନୀତି ବୋଲି କହିଛନ୍ତି। କମ୍ ଅବଧି ବିଶିଷ୍ଟ ଧାନ କିସମ, ସିଧାସଳଖ ବିହନ ବୁଣା ପଦ୍ଧତି ଏବଂ ପରିବର୍ତ୍ତିତ ରୁଆ ସୂଚୀ ଅନୁସରଣ କରିବାକୁ ସେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି।ଅନିଶ୍ଚିତ ବର୍ଷା ପରିସ୍ଥିତିରେ ହରଡ଼, ମୁଗ, ବିରି ଓ ରାଶି ଭଳି ଫସଲ ଚାଷ କରିବା ସହ ମାଣ୍ଡିଆ ଓ ଅନ୍ୟାନ୍ୟ କ୍ଷୁଦ୍ର ଶସ୍ୟ ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି।
ଏହି ଫସଲଗୁଡ଼ିକରେ କମ୍ ପାଣି ଆବଶ୍ୟକ ହୋଇଥାଏ। ମରୁଡ଼ି ପ୍ରବଣ ଅଞ୍ଚଳରେ ମକା ଓ କପା ଚାଷକୁ ମଧ୍ୟ ପ୍ରୋତ୍ସାହନ ଦେବାକୁ ପରାମର୍ଶ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ଚାଷ ଉପରେ ନୁହେଁ, ପଶୁପାଳନ କ୍ଷେତ୍ର ଉପରେ ମଧ୍ୟ ପଡ଼ୁଥିବା ସେ ଉଲ୍ଲେଖ କରିଛନ୍ତି। କମ୍ ବର୍ଷା ଯୋଗୁଁ ଗୋଖାଦ୍ୟ ଉତ୍ପାଦନ କମିବା ସହ ପିଇବା ପାଣିର ଅଭାବ ଦେଖାଦେଇପାରେ। ଅତ୍ୟଧିକ ଗରମ ଯୋଗୁଁ କ୍ଷୀର ଉତ୍ପାଦନ ଏବଂ ପଶୁଙ୍କ ସାମଗ୍ରିକ ଦକ୍ଷତା ମଧ୍ୟ ହ୍ରାସ ପାଇପାରେ। ତେଣୁ ମରୁଡ଼ି ପ୍ରବଣ ଅଞ୍ଚଳରେ ଗୃହପାଳିତ ପଶୁଙ୍କ ପାଇଁ ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି।

