ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଦୀର୍ଘଦିନ ଧରି ଚାଲିଥିବା ହିଂସା ଏବଂ ସଂଘର୍ଷ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଇସ୍ରାଏଲ ଓ ଲେବାନନ ଭିତ୍ତିକ ସଶସ୍ତ୍ର ସଂଗଠନ ହିଜବୁଲ୍ଲା ମଧ୍ୟରେ ସଂଘର୍ଷର ତୀବ୍ରତା କମାଇବା ପାଇଁ ସହମତି ପ୍ରକାଶ ପାଇଛି। ଏହା ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହ୍ରାସ ପାଇବା ସହ ଅଞ୍ଚଳରେ ଶାନ୍ତି ସ୍ଥାପନ ଦିଗରେ ନୂଆ ଆଶା ସୃଷ୍ଟି ହୋଇଛି।
ଟ୍ରମ୍ପଙ୍କ କହିବା ଅନୁଯାୟୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ଫଳପ୍ରଦ ଆଲୋଚନା ଏବଂ ହିଜବୁଲ୍ଲା ପକ୍ଷ ସହ ପରୋକ୍ଷ ଯୋଗାଯୋଗ ପରେ ଏହି ସହମତି ସମ୍ଭବ ହୋଇଛି। ସେ କହିଛନ୍ତି ଯେ, ଇସ୍ରାଏଲର ସୈନ୍ୟମାନେ ଲେବାନନର ରାଜଧାନୀ ବେରୁତ ଆଡ଼କୁ ଅଗ୍ରସର ହେବେ ନାହିଁ ଏବଂ ଯେଉଁ ସେନା ଆଗକୁ ବଢ଼ୁଥିଲେ ସେମାନଙ୍କୁ ପଛକୁ ଫେରାଇ ନିଆଯାଇଛି।ସେହିପରି ହିଜବୁଲ୍ଲାର କେତେକ ପ୍ରତିନିଧି ମଧ୍ୟ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଥିବା ଟ୍ରମ୍ପ ଦାବି କରିଛନ୍ତି। ଉଭୟ ପକ୍ଷ ପରସ୍ପର ବିରୋଧରେ ଆକ୍ରମଣ ନ କରିବାକୁ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି। ତେବେ ଏହି ଘୋଷଣାକୁ ନେଇ ଏବେ ବି ଅନେକ ପ୍ରଶ୍ନ ଉଠୁଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ସହ ଆଲୋଚନା ହୋଇଥିବା କଥା ସ୍ୱୀକାର କରିଥିବା ବେଳେ ଦକ୍ଷିଣ ଲେବାନନରେ ସାମରିକ କାର୍ଯ୍ୟକଳାପ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି। ହିଜବୁଲ୍ଲା ପକ୍ଷରୁ ଆକ୍ରମଣ ଜାରି ରହିଲେ ବେରୁତ ଉପରେ ପୁଣି ବିମାନ ଆକ୍ରମଣ କରାଯାଇପାରେ ବୋଲି ସେ ସତର୍କ କରିଛନ୍ତି।
ଅନ୍ୟପଟେ, ହିଜବୁଲ୍ଲା ପକ୍ଷରୁ ଏହି ସହମତି ସମ୍ପର୍କରେ କୌଣସି ସ୍ପଷ୍ଟ ବିବୃତ୍ତି ଆସିନାହିଁ। ସୂଚନା ଅନୁସାରେ, ଘୋଷଣା ପରେ ମଧ୍ୟ ଇସ୍ରାଏଲ ଅଭିମୁଖେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ବିନା କୌଣସି ଆଂଶିକ ଯୁଦ୍ଧବିରତିକୁ ହିଜବୁଲ୍ଲା ସମର୍ଥନ କରୁନଥିବା ଜଣାପଡ଼ିଛି।ସୀମାନ୍ତ ଅଞ୍ଚଳରେ ଆଜି ସକାଳ ପର୍ଯ୍ୟନ୍ତ ସୀମିତ ଗୁଳିବିନିମୟ ଜାରି ରହିଥିବା ଖବର ମିଳିଛି। ଏହା ଫଳରେ ଏହି ଶାନ୍ତି ପ୍ରୟାସ କେତେ ଦୂର ସଫଳ ହେବ ଏବଂ କେତେଦିନ ପର୍ଯ୍ୟନ୍ତ ସ୍ଥାୟୀ ରହିବ, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଉଛି। ତେବେ ଏହି ବୁଝାମଣା ଫଳରେ ବେରୁତର ଦକ୍ଷିଣ ଉପକଣ୍ଠରେ ହେବାକୁ ଥିବା ଏକ ବଡ଼ ଧରଣର ଆକ୍ରମଣ ଟଳିଥିବା କୁହାଯାଉଛି। ଏହି ପ୍ରକ୍ରିୟାରେ କୌଣସି ଆମେରିକୀୟ ସୈନ୍ୟଙ୍କୁ ନିୟୋଜିତ କରାଯାଇନଥିବା ଏବଂ ଲେବାନନକୁ ପଠାଯାଉନଥିବା ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।ମଧ୍ୟପ୍ରାଚ୍ୟରେ ବର୍ଷଧରି ଚାଲିଆସୁଥିବା ଅସ୍ଥିରତା ମଧ୍ୟରେ ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପ୍ରୟାସ ଭାବେ ଦେଖାଯାଉଛି। ତେବେ ଦୀର୍ଘଦିନର ଶତ୍ରୁତା ଏବଂ ପରସ୍ପର ଅବିଶ୍ୱାସ ଯୋଗୁଁ ପରିସ୍ଥିତି କେତେ ସମୟ ଶାନ୍ତ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

