Wed. Jun 3rd, 2026

ନ୍ୟୁଜ ଡେକ୍ସ : ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ମହାନିରୀକ୍ଷକ ଡାକ୍ତର ସତ୍ୟଜିତ ନାୟକ ଆଜି ଶ୍ରୀମନ୍ଦିର ଏବଂ ପୁରୀ ସହରର ସୁରକ୍ଷା ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି। ଆସନ୍ତା ଜୁନ ୨୯ ତାରିଖରେ ଶ୍ରୀଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି।ଗସ୍ତ ସମୟରେ ପୁରୀ ଜିଲ୍ଲା ପୁଲିସ ଅଧୀକ୍ଷକ ପ୍ରତୀକ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସହ ମହାନିରୀକ୍ଷକ ପ୍ରଥମେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ଗ୍ରହଣ କରିଥିଲେ।

ପରେ ସେ ମନ୍ଦିର ପରିସର, ସହରର ପ୍ରମୁଖ ସ୍ଥାନ ଏବଂ ଭକ୍ତମାନଙ୍କ ଯାତାୟାତ ବ୍ୟବସ୍ଥା ସମ୍ପର୍କରେ କ୍ଷେତ୍ର ପରିଦର୍ଶନ କରିଥିଲେ।ସ୍ନାନ ପୂର୍ଣ୍ଣିମା ସମୟରେ ଭକ୍ତମାନଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ମନ୍ଦିରର ବିଭିନ୍ନ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରାଯିବ। ବିଶେଷ କରି ପହଣ୍ଡି ବିଜେ ଓ ସ୍ନାନ ବେଦୀରେ ମହାସ୍ନାନ ନୀତି ସମୟରେ ଭକ୍ତମାନଙ୍କ ଚଳାଚଳ ସୁଚାରୁ ଭାବେ ପରିଚାଳିତ ହେବା ଉପରେ ଗୁରୁତ୍ୱ ଦିଆଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ଡାକ୍ତର ସତ୍ୟଜିତ ନାୟକ କହିଛନ୍ତି ଯେ, ପୁରୀକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ପାଇଁ ଏକ ସୁରକ୍ଷିତ, ଶୃଙ୍ଖଳିତ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପୁଲିସର ପ୍ରମୁଖ ଲକ୍ଷ୍ୟ।

ଭକ୍ତମାନେ ଯେପରି କୌଣସି ଅସୁବିଧା ବିନା ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି।ସେ ଆହୁରି କହିଛନ୍ତି ଯେ, ଓଡ଼ିଶା ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଘନିଷ୍ଠ ସମନ୍ୱୟ ରହିଛି। ଜନସାଧାରଣଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଉତ୍ସବର ସମସ୍ତ ନୀତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି।ସ୍ନାନ ପୂର୍ଣ୍ଣିମା ଭଳି ମହାପର୍ବ ସମୟରେ ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ନିମନ୍ତେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ସହଯୋଗ କରିବାକୁ ମହାନିରୀକ୍ଷକ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ପ୍ରଶାସନ ଓ ସାଧାରଣ ଲୋକଙ୍କ ସହଯୋଗରେ ଏହି ପବିତ୍ର ଉତ୍ସବକୁ ସଫଳ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରାଯିବ।

Leave a Reply

Your email address will not be published. Required fields are marked *