ନ୍ୟୁଜ ଡେକ୍ସ : ରାଜ୍ୟରେ ଆସନ୍ତା କିଛି ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ଗରମ ଓ ଗୁଳୁଗୁଳିର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଗରମ ସହ ଗୁଳୁଗୁଳିର ପ୍ରଭାବ ଅଧିକ ରହିପାରେ।
ଏହାଫଳରେ ସାଧାରଣ ଲୋକଙ୍କୁ ଦିନ ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ପାଇଁ ପାଗ ଅନୁକୂଳ ରହିଥିବାରୁ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ସହ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତି ଜିଲ୍ଲା ପାଇଁ ଉଚ୍ଚସ୍ତରୀୟ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ବଜ୍ରପାତ ଓ ପ୍ରବଳ ପବନର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି।ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନ୍ୟାନ୍ୟ କେତେକ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏହି କାରଣରୁ ସେହି ଅଞ୍ଚଳଗୁଡ଼ିକ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଓଡ଼ିଶା ସହ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏଭଳି ପାଗ ପରିବର୍ତ୍ତନ ଦେଖାଦେଇଛି। ଏହାର ପ୍ରଭାବରେ ଗୋଟିଏ ପଟେ ତାପମାତ୍ରା ବଢ଼ିବା ସହ ଗରମ ଅନୁଭୂତ ହେବ, ଅନ୍ୟପଟେ ବଜ୍ରପାତ ଓ ପ୍ରବଳ ପବନ ମଧ୍ୟ ଦେଖିବାକୁ ମିଳିପାରେ। ପାଣିପାଗ ବିଭାଗ ଲୋକମାନଙ୍କୁ ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ପ୍ରୟୋଜନ ନ ଥିଲେ ଘରୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦେଇଛି। ସେହିପରି ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ପ୍ରଚୁର ପାଣି ପିଇବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

