Wed. Jun 3rd, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଏହି ବୈଠକ ବସିବ। ବୈଠକରେ ୮ଟି ବିଭାଗ ସମ୍ବନ୍ଧୀୟ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଲୋଚନା ପାଇଁ ଉପସ୍ଥାପିତ ହେବାକୁ ଥିବା ସୂଚନା ମିଳିଛି।ଆସନ୍ତା ଜୁନ୍‌ ୧୨ ତାରିଖରେ ରାଜ୍ୟରେ ଭାଜପା ସରକାର ଦୁଇବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି କ୍ୟାବିନେଟ୍‌ ବୈଠକକୁ ନେଇ ଗୁରୁତ୍ୱ ବଢ଼ିଛି।

ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ନୂଆ ପଦକ୍ଷେପ ଏବଂ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧୀୟ କିଛି ନିଷ୍ପତ୍ତି ଏହି ବୈଠକରେ ଅନୁମୋଦନ ପାଇପାରେ ବୋଲି ଆଲୋଚନା ହେଉଛି।କ୍ୟାବିନେଟ୍‌ରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପୂର୍ତ୍ତ, ଜଳସମ୍ପଦ, ଅର୍ଥ, ସାଧାରଣ ପ୍ରଶାସନ ଏବଂ ରାଜସ୍ବ ବିଭାଗ ସମ୍ବନ୍ଧୀୟ ପ୍ରସ୍ତାବ ରହିଥିବା ଜଣାପଡ଼ିଛି। ଏହି ପ୍ରସ୍ତାବଗୁଡ଼ିକ ରାଜ୍ୟର ବିକାଶ, ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ଜନସାଧାରଣଙ୍କ କଲ୍ୟାଣ ସହ ସିଧାସଳଖ ଭାବେ ଜଡ଼ିତ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସରକାର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ‘ସୁଭଦ୍ରା’ ଯୋଜନା, କୃଷକମାନଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି, ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ୩,୫୦୦ ଟଙ୍କା ଭତ୍ତା ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ବସ୍‌ରେ ମାଗଣା ଯାତାୟାତ ଭଳି ଅନେକ ଜନହିତକର ପଦକ୍ଷେପ ଗ୍ରହଣ କରିଛନ୍ତି।ଏହି ପରିସ୍ଥିତିରେ ଆସନ୍ତାକାଲିର କ୍ୟାବିନେଟ୍‌ ବୈଠକରେ ନିଆଯିବାକୁ ଥିବା ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟର ବିକାଶ ଏବଂ ଜନକଲ୍ୟାଣ ଦୃଷ୍ଟିରୁ ଏହି କ୍ୟାବିନେଟ୍‌ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

Leave a Reply

Your email address will not be published. Required fields are marked *