ନ୍ୟୁଜ ଡେକ୍ସ : ପବିତ୍ର ଶ୍ରୀକ୍ଷେତ୍ର ପୁରୀ ଆଜିଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମର ସାକ୍ଷୀ ପାଲଟିବ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ପୁରୀସ୍ଥିତ ତାଜ୍ ପୁରୀ ରିସର୍ଟ ଆଣ୍ଡ ସ୍ପାରେ ଏହି ହାଇ-ପ୍ରୋଫାଇଲ୍ ବୈଠକ ଆୟୋଜନ କରାଯାଉଛି।
ଏହି ବୈଠକରେ ବ୍ରିକ୍ସର ମୂଳ ସଦସ୍ୟ ଦେଶ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସହିତ ୟୁଏଇ, ସାଉଦି ଆରବ, ଇଜିପ୍ଟ, ଇରାନ, ଇଥିଓପିଆ ଏବଂ ଇଣ୍ଡୋନେସିଆର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେବେ। ମୋଟ ୧୧ଟି ଦେଶର ପ୍ରତିନିଧିମାନେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।ଚଳିତ ବର୍ଷର ବୈଠକ ‘ନୂତନତା, ସହଯୋଗ ଏବଂ ସ୍ଥାୟୀତ୍ୱ ମାଧ୍ୟମରେ ବିପର୍ଯ୍ୟୟ ସହନଶୀଳତାର ବିକାଶ’ ବିଷୟବସ୍ତୁ ଉପରେ ଆଧାରିତ ରହିଛି। ବିପର୍ଯ୍ୟୟ ପରିଚାଳନା ପାଇଁ ପାଣ୍ଠି ଯୋଗାଣ, ସମୁଦାୟ ଭିତ୍ତିକ ସତର୍କ ସୂଚନା ପ୍ରଣାଳୀ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଜ୍ଞାନ ଓ ଅନୁଭବର ଆଦାନପ୍ରଦାନ ଉପରେ ବିସ୍ତୃତ ଚର୍ଚ୍ଚା ହେବ। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାର ସଫଳତା ଓ ବିଶ୍ୱସ୍ତରୀୟ ସ୍ୱୀକୃତି ଏହି ବୈଠକକୁ ରାଜ୍ୟ ପାଇଁ ଆହୁରି ଗୌରବମୟ କରିଛି।
ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା, ଆଗୁଆ ସ୍ଥାନାନ୍ତରଣ ବ୍ୟବସ୍ଥା ଏବଂ ଶୂନ୍ୟ ଜୀବନହାନି ନୀତି ପାଇଁ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍କୁ ଜାତିସଂଘ ସମେତ ବିଶ୍ୱର ବିଭିନ୍ନ ମଞ୍ଚରେ ପ୍ରଶଂସା କରାଯାଇଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ଭାରତ ସରକାର ପୁରୀକୁ ଏହି ବୈଠକର ଆୟୋଜନ ସ୍ଥଳ ଭାବେ ଚୟନ କରିଛନ୍ତି।ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ପ୍ରଥମ ବୈଷୟିକ ବୈଠକ ଗତ ଏପ୍ରିଲ ୨୯ ଓ ୩୦ ତାରିଖରେ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ହୋଇଥିଲା। ତାହାର ଅଧ୍ୟକ୍ଷତା ଭାରତର ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ କରିଥିଲେ।ତିନି ଦିନିଆ ଏହି ବୈଠକରୁ ମିଳୁଥିବା ସୁପାରିଶ ଓ ନିଷ୍କର୍ଷ ଆଗାମୀ ବ୍ରିକ୍ସ ଶୀର୍ଷ ସମ୍ମିଳନୀ ପାଇଁ ନୀତିଗତ ଖସଡ଼ା ପ୍ରସ୍ତୁତିରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

