Wed. Jun 3rd, 2026

ନ୍ୟୁଜ ଡେକ୍ସ : ଗଜପତି ଜିଲ୍ଲା ଅଡବା ପୁଲିସକୁ ଗଞ୍ଜେଇ ଚୋରା ଚାଲାଣ ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ପୁଲିସ ଏକ ଦାମୀ କାରକୁ ଅଟକାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।ପୁଲିସ ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ନେଇ ଖବର ପାଇବା ପରେ ଅଡବା ପୁଲିସ ପେଟ୍ରୋଲିଂ ଜୋରଦାର କରିଥିଲା।

ଏହି ସମୟରେ ରାଇପଙ୍କା ଗାଁ ନିକଟ ଜାତୀୟ ରାଜପଥରେ ସନ୍ଦେହଜନକ ଭାବେ ଯାଉଥିବା ଏକ କାରକୁ ଅଟକାଇ ଯାଞ୍ଚ କରାଯାଇଥିଲା।ଯାଞ୍ଚ ସମୟରେ କାର ଭିତରୁ ୮ଟି ଜରି ଅଖାରେ ଭର୍ତ୍ତି ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା। ପରେ ମାଜିଷ୍ଟ୍ରେଟ୍ ରାଜେନ୍ଦ୍ର ପ୍ରସାଦ ଭୂୟାଁଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ଏଥିରେ ମୋଟ ୨୦୦ କିଲୋଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା।

ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ଆକଳନ କରାଯାଇଛି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଓ ଚାଲାଣ ଚକ୍ରର ଅନ୍ୟ ସଦସ୍ୟମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ଆଗାମୀ ଦିନରେ ଅଞ୍ଚଳରେ ପୁଲିସ ପକ୍ଷରୁ ନଜରଦାରି ଓ ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *