Wed. Jun 3rd, 2026

ନ୍ୟୁଜ ଡେକ୍ସ : ଚଳିତ ବର୍ଷ ରଜ ପର୍ବ ପୂର୍ବରୁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚିବାର ସମ୍ଭାବନା ଜୋରଦାର ହୋଇଛି। ପାଣିପାଗ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଆସନ୍ତା ୧୦ରୁ ୧୪ ଜୁନ୍‌ ମଧ୍ୟରେ ମୌସୁମୀ ଓଡ଼ିଶାରେ ପାଦ ଥାପିପାରେ। ଯଦି ଏହି ପୂର୍ବାନୁମାନ ସତ ହୁଏ, ତେବେ ରଜ ପର୍ବ ସମୟରେ ରାଜ୍ୟବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ବହୁ ପରିମାଣରେ ଆଶ୍ୱସ୍ତି ମିଳିବ।ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ, ଆସନ୍ତା ୪ କିମ୍ବା ୫ ଜୁନ୍‌ ସୁଦ୍ଧା ମୌସୁମୀ କେରଳ ଉପକୂଳ ଛୁଇଁପାରେ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ପ୍ରଭାବ ସେତେଟା ସକ୍ରିୟ ରହିବ ନାହିଁ। ୭ରୁ ୧୦ ଜୁନ୍‌ ମଧ୍ୟରେ ଏହା ପଶ୍ଚିମ ଭାରତର କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଆରବ ସାଗର ଓ ବଙ୍ଗୋପସାଗର ଶାଖା ଅନୁକୂଳ ରହିଲେ ୧୩ରୁ ୧୬ ଜୁନ୍‌ ମଧ୍ୟରେ ମୌସୁମୀ ଓଡ଼ିଶାରେ ପହଞ୍ଚିପାରେ। ବିଶେଷକରି ୧୩ କିମ୍ବା ୧୪ ଜୁନ୍‌ରେ ଏହା ରାଜ୍ୟକୁ ଛୁଇଁବାର ସମ୍ଭାବନା ଅଧିକ ବୋଲି ସେ ମତ ପ୍ରକାଶ କରିଛନ୍ତି। ସେହିପରି ବିଶିଷ୍ଟ କୃଷି ପାଣିପାଗ ବୈଜ୍ଞାନିକ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବିଭିନ୍ନ ପାଣିପାଗ ମଡେଲ ଅନୁଯାୟୀ ଜୁନ୍‌ ୮ରୁ ୧୪ ମଧ୍ୟରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିପାରେ। ତେବେ ୧୦ ଜୁନ୍‌ ପୂର୍ବରୁ ଏହା ରାଜ୍ୟକୁ ଆସିବାର ସମ୍ଭାବନା କମ୍। ତାଙ୍କ ଆକଳନ ଅନୁଯାୟୀ, ୧୦ରୁ ୧୪ ଜୁନ୍‌ ମଧ୍ୟରେ ମୌସୁମୀ ଆସିବାର ସମ୍ଭାବନା ୮୦ ପ୍ରତିଶତ ଥିବାବେଳେ ୧୫ କିମ୍ବା ୧୬ ଜୁନ୍‌ ପର୍ଯ୍ୟନ୍ତ ବିଳମ୍ବ ହେବାର ସମ୍ଭାବନା ୨୦ ପ୍ରତିଶତ ରହିଛି।ବର୍ତ୍ତମାନ ବଙ୍ଗୋପସାଗରୀୟ ଶାଖା ସେତେଟା ସକ୍ରିୟ ନଥିବାରୁ କୌଣସି ସଂଗଠିତ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରୁନାହିଁ। ପାଣିପାଗ ବିଶେଷଜ୍ଞଙ୍କ ମତରେ କେନ୍ଦ୍ରୀୟ କିମ୍ବା ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲେ ତାହା ମୌସୁମୀକୁ ଓଡ଼ିଶା ଅଭିମୁଖେ ଟାଣି ଆଣିବାରେ ସହାୟକ ହେବ। କିନ୍ତୁ ଏବେ ସୁଦ୍ଧା ସେଭଳି କୌଣସି ସ୍ପଷ୍ଟ ସଙ୍କେତ ଦେଖାଯାଉନାହିଁ।

ଏପଟେ ଆସନ୍ତା ୧୦ ଜୁନ୍‌ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ସୀମିତ ରହିବାର ସମ୍ଭାବନା ରହିଛି। ଦିନବେଳେ ଗରମ ଓ ରାତିରେ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ତେବେ ଏହାର ପ୍ରଭାବ ସୀମିତ ଅଞ୍ଚଳରେ ରହିବ ଏବଂ ସମଗ୍ର ରାଜ୍ୟରେ ବ୍ୟାପକ ବର୍ଷା ହେବାର ସମ୍ଭାବନା କମ୍ ବୋଲି କୁହାଯାଉଛି।ପାଣିପାଗ ବିଭାଗ ମଧ୍ୟ ଆସନ୍ତା ଚାରି ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି। ମଙ୍ଗଳବାର ବୌଦ୍ଧରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ୪୦.୮, ତାଳଚେର ଓ ଢେଙ୍କାନାଳରେ ୪୦ ଏବଂ ଖୋର୍ଦ୍ଧାରେ ୪୧ ଡିଗ୍ରୀ ସେଲସିୟସ୍ ରହିଥିଲା। ଭୁବନେଶ୍ୱରରେ ତାପମାତ୍ରା ୩୮.୯ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବାବେଳେ ରାଜ୍ୟର ଅନେକ ସ୍ଥାନରେ ଏହା ୩୮ରୁ ୩୯ ଡିଗ୍ରୀ ମଧ୍ୟରେ ରହିଥିଲା।

Leave a Reply

Your email address will not be published. Required fields are marked *