ନ୍ୟୁଜ ଡେକ୍ସ : ରାଜ୍ୟରେ ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ବ୍ଲକ ଓ ତହସିଲର ତ୍ରୁଟିପୂର୍ଣ୍ଣ ଇଂରାଜୀ ନାମଗୁଡ଼ିକ ସଂଶୋଧନ କରାଯିବ। ଓଡ଼ିଆ ନାମ ସଂଶୋଧନ ଓ ଐତିହାସିକ ପରିଚୟ ପୁନଃସ୍ଥାପନ ଦିଗରେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ ୫୦ରୁ ଅଧିକ ସ୍ଥାନର ନାମକୁ ସେମାନଙ୍କର ମୂଳ ଓଡ଼ିଆ ଉଚ୍ଚାରଣ ଓ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ ପାଇଁ ସୁପାରିସ କରାଯାଇଛି।
ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଓଡ଼ିଆ ଭାଷା, ଇତିହାସ, ଭୂଗୋଳ ଓ ପ୍ରଶାସନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେଇଥିଲେ।ସାଧାରଣ ଲୋକ ଓ ଜନପ୍ରତିନିଧିମାନଙ୍କ ପ୍ରସ୍ତାବକୁ ଐତିହାସିକ ଓ ସାଂସ୍କୃତିକ ଭିତ୍ତିରେ ସମୀକ୍ଷା କରି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି।ବିଶେଷଜ୍ଞ କମିଟିର ସୁପାରିସ ସମ୍ପର୍କରେ ରାଜସ୍ୱ ବିଭାଗ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଚିଠି ଲେଖି ଅବଗତ କରାଇଛି। ରାଜ୍ୟର ବିଭିନ୍ନ ସହର ଓ ସ୍ଥାନର ଇଂରାଜୀ ବନାନ ସଂଶୋଧନ କରି ମୂଳ ଓଡ଼ିଆ ନାମ ପୁନଃସ୍ଥାପନ ପାଇଁ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା।
ସୁପାରିସ ଅନୁଯାୟୀ କଳାହାଣ୍ଡିର Junagarhକୁ ‘ଜୁନାଗଡ଼ା’, Kandhamalକୁ ‘କନ୍ଧମାଳ’, ସୁନ୍ଦରଗଡ଼ର Bonaigarhକୁ ‘ବଣାଇଗଡ଼ା’ ଭାବେ ନାମକରଣ ପ୍ରସ୍ତାବ ରହିଛି। ସେହିପରି Nimapara ‘ନିମାପଡ଼ା’, Umerkote ‘ଉମରକୋଟ’, Boudhgarh ‘ବୌଦ୍ଧଗଡ଼ା’, Rourkela ‘ରାଉରକେଲା’, Talcher ‘ତାଳଚେର’, Soro ‘ସୋରା’ କରିବାକୁ ପ୍ରସ୍ତାବ ଦିଆଯାଇଛି।ଗଞ୍ଜାମ ଜିଲ୍ଲାର Berhampurକୁ ‘ବ୍ରହ୍ମପୁର’, Hinjilicutକୁ ‘ହିଞ୍ଜିଳିକାଟୁ’, Askaକୁ ‘ଆସିକା’, Suradaକୁ ‘ସୋରଡ଼ା’ କରିବା ପ୍ରସ୍ତାବ ରହିଛି। କେନ୍ଦ୍ରାପଡ଼ାର Kendrapara ‘କେନ୍ଦ୍ରାପଡ଼ା’, Aul ‘ଆଳି’, Mahakalapada ‘ମହାକାଳପଡ଼ା’ ଭାବେ ସଂଶୋଧନ ପ୍ରସ୍ତାବ ଦିଆଯାଇଛି।ଖୋର୍ଦ୍ଧାର Khurdaକୁ ‘ଖୋର୍ଦ୍ଧା’, Bolagarhକୁ ‘ବୋଲଗଡ଼’, Jatniକୁ ‘ଜଟଣୀ’ ଏବଂ କୋରାପୁଟର Jeyporeକୁ ‘ଜୟପୁର’ କରିବାକୁ ସୁପାରିସ ହୋଇଛି। ଅନୁଗୋଳକୁ ‘ANUGOLA’, ପାଳଲହଡାକୁ ‘PALALAHADA’, ବଲାଙ୍ଗୀରକୁ ‘BALANGIR’, ବଙ୍ଗୋମୁଣ୍ଡାକୁ ‘BANGOMUNDA’, ବାଲେଶ୍ୱରକୁ ‘BALESHWAR’, ନୀଳଗିରିକୁ ‘NILAGIRI’, ଦେବଗଡ଼କୁ ‘DEBAGADA’, ରିଆମାଳକୁ ‘RIAMAL’ ଭାବେ ସଂଶୋଧନ ପ୍ରସ୍ତାବ ରହିଛି। କେନ୍ଦୁଝର ଜିଲ୍ଲାର Kendujhar, Badabil ଓ Kendujhargada ଭଳି ନାମ ସଂଶୋଧନ ପାଇଁ ମଧ୍ୟ ସୁପାରିସ କରାଯାଇଛି।

