Fri. Jun 5th, 2026

ନ୍ୟୁଜ ଡେକ୍ସ : ଶ୍ରୀକ୍ଷେତ୍ର ପୁରୀର ପବିତ୍ର ରଥଖଳାରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚାଲିଥିବା ରଥନିର୍ମାଣ କାର୍ଯ୍ୟ ଆଜି ୪୪ତମ ଦିନରେ ପହଞ୍ଚିଛି। ବିଶ୍ୱକର୍ମା ସେବକମାନେ ପ୍ରାତଃକାଳରୁ ରଥଖଳାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ରଥ ଗଢ଼ା କାର୍ଯ୍ୟ ଆରମ୍ଭ କରିଥିଲେ।ଆଜି ତିନି ରଥରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଦଣ୍ଡା କଣ୍ଟା’ ଲଗାଇବା କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ସେହିସହିତ ରଥର ଚକ ଉପର ଭାଗରେ ଗରଗରା ଖଞ୍ଜା, କଣ୍ଟା ବାଡ଼ିଆ ଏବଂ ଗୟଳ କାର୍ଯ୍ୟ ମଧ୍ୟ ଶେଷ ହୋଇଛି।

ରଥର ସୁରକ୍ଷା ଓ ଦୃଢ଼ତା ପାଇଁ କଣ୍ଟା ବାଡ଼ିଆ କାର୍ଯ୍ୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେବକମାନେ କହିଛନ୍ତି, ଯାହା ଫଳରେ ରଥଟଣା ସମୟରେ କାଠ ଭାଙ୍ଗିବା କିମ୍ବା ଦଉଡ଼ି ଖସିଯିବାର ଆଶଙ୍କା ରହିବ ନାହିଁ।ଗତକାଲି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଅଖ ଉପରେ ଦଣ୍ଡା ଫ୍ରେମ୍ ଉଠାଇବା ଓ ଦଣ୍ଡା ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଆଜି ଦଣ୍ଡାକୁ ଅଖ ସହ ସଂଯୋଗ କରାଯାଇ ଆଗ ମୁହାଁଟରେ ସାଲଗୁଜ ଓ ପଛ ମୁହାଁଟରେ ଜଳଯନ୍ତ୍ର ସ୍ଥାପନ କରାଯାଇଛି।

ଓଝା ସେବକମାନେ ଦଣ୍ଡାରେ କଣ୍ଟା ପକାଇବା ସହ ପୋଟଳ କଣ୍ଟା ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି। ଅନ୍ୟପଟେ ରଥକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରୂପକାର ସେବକମାନେ ବେଦୀ ସିଂହାସନ ମୁହାଁଟରେ ସୂକ୍ଷ୍ମ ଚିତ୍ର ଖୋଦେଇ କରୁଛନ୍ତି। ତିନି ରଥର ନାଟ ଗୋଡ଼ରେ ସୁନ୍ଦର ଗନ୍ଧର୍ବ ରୂପ ଖୋଦେଇ କାର୍ଯ୍ୟ ଚାଲିଛି। ଏହାସହ ଦୋଳବେଦୀ ପରିସରରେ ମହାରଣାମାନେ ଅଣସର ଓ ରଥଯାତ୍ରା ସମୟରେ ଦେବାଦେବୀଙ୍କ ସେବା ପୂଜା ପାଇଁ ଆବଶ୍ୟକ କାଠ ସରଞ୍ଜାମ ନିର୍ମାଣରେ ବ୍ୟସ୍ତ ରହିଛନ୍ତି।

Leave a Reply

Your email address will not be published. Required fields are marked *