ନ୍ୟୁଜ ଡେକ୍ସ : ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ ଇରାନର ବିପ୍ଳବୀ ରକ୍ଷୀ ବାହିନୀ ପକ୍ଷରୁ ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ମାର୍ଗ ଭାବେ ପରିଚିତ ହର୍ମୁଜ୍ ଜଳପଥକୁ ବନ୍ଦ କରାଯାଇଥିବା ଖବର ସାମ୍ନାକୁ ଆସିଛି। ଏହି ନିଷ୍ପତ୍ତି ପରେ ଉକ୍ତ ଅଞ୍ଚଳ ଦେଇ ସମସ୍ତ ପ୍ରକାର ଜାହାଜ ଚଳାଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।ଇରାନ ପକ୍ଷରୁ ସତର୍କ କରାଯାଇଛି ଯେ ଏହି ଜଳପଥ ଦେଇ ଯାତାୟାତ କରିବାକୁ ଉଦ୍ୟମ କରୁଥିବା ଯେକୌଣସି ଜାହାଜ ବିପଦର ସମ୍ମୁଖୀନ ହୋଇପାରେ। ଜାହାଜଗୁଡ଼ିକର ସୁରକ୍ଷା ସମ୍ପୂର୍ଣ୍ଣ ଭାବେ ସମ୍ପୃକ୍ତ ଦେଶ ଓ ସଂସ୍ଥାଙ୍କ ଦାୟିତ୍ୱ ବୋଲି ମଧ୍ୟ କୁହାଯାଇଛି।
ଇରାନର ବିପ୍ଳବୀ ରକ୍ଷୀ ବାହିନୀ ଜାରି କରିଥିବା ବିବୃତ୍ତିରେ କୁହାଯାଇଛି ଯେ ଅଞ୍ଚଳରେ ବଢ଼ୁଥିବା ଅସୁରକ୍ଷା ଓ ଆମେରିକାର ସାମରିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଏହା ଫଳରେ ତୈଳ ବାହୀ ଜାହାଜ, ମାଲବାହୀ ଜାହାଜ ଓ ଅନ୍ୟାନ୍ୟ ସମୁଦ୍ର ପରିବହନ ସେବାକୁ ତୁରନ୍ତ ବନ୍ଦ କରାଯାଇଛି।ଇରାନୀ ଗଣମାଧ୍ୟମର ଖବର ଅନୁସାରେ, ହର୍ମୁଜ୍ ଜଳପଥରେ ଆମେରିକୀୟ ନୌସେନା ଓ ଇରାନୀ ବାହିନୀ ମଧ୍ୟରେ ତୀବ୍ର ଉତ୍ତେଜନା ସହ ଗୁଳି ବିନିମୟ ଘଟିଛି। ଇରାନ ପକ୍ଷରୁ ଦାବି କରାଯାଇଛି ଯେ ଅନୁମତି ବିନା ଜଳପଥ ଦେଇ ଯାତାୟାତ କରିବାକୁ ଚେଷ୍ଟା କରୁଥିବା ଦୁଇଟି ଜାହାଜକୁ ଲକ୍ଷ୍ୟ କରାଯାଇଥିଲା।
ଏହି ଘଟଣା ପରେ ପଶ୍ଚିମ ଏସିଆରେ ପୁଣିଥରେ ସଂଘର୍ଷ ବଢ଼ିବା ଆଶଙ୍କା ଦେଖାଦେଇଛି। ସେହିପରି ଆନ୍ତର୍ଜାତିକ ବଜାରରେ ତୈଳ ଓ ଗ୍ୟାସ ମୂଲ୍ୟ ବୃଦ୍ଧି ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଉପସାଗରୀୟ ଦେଶଗୁଡ଼ିକରୁ ବିଶ୍ୱର ବିଭିନ୍ନ ଦେଶକୁ ହେଉଥିବା ଶକ୍ତି ସମ୍ପଦ ଯୋଗାଣ ପ୍ରଭାବିତ ହେବାର ସମ୍ଭାବନା ରହିଛି।ବିଶେଷଜ୍ଞମାନଙ୍କ ମତରେ, ଏହି ପରିସ୍ଥିତି ଦୀର୍ଘସ୍ଥାୟୀ ହେଲେ ଭାରତ ସମେତ ଅନେକ ଦେଶର ଶକ୍ତି ଆମଦାନି, ପରିବହନ ଓ ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପଡ଼ିପାରେ। ବିଶ୍ୱ ପରିସ୍ଥିତି ଉପରେ ଏବେ ସମସ୍ତଙ୍କ ନଜର ରହିଛି।

