Mon. Jun 15th, 2026

ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଅପରାହ୍ନ ୩ଟା ୫୦ ମିନିଟ୍‌ରେ ତୃତୀୟ ଉତ୍‌କ୍ଷେପଣ ମଞ୍ଚରୁ କ୍ଷେପଣାସ୍ତ୍ରଟି ଉତ୍‌କ୍ଷେପଣ କରାଯାଇଥିଲା।ପରୀକ୍ଷଣକୁ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଉତ୍‌କ୍ଷେପଣ ସ୍ଥଳର ଏକରୁ ସାଢ଼େ ତିନି କିଲୋମିଟର ପରିସର ମଧ୍ୟରେ ରହୁଥିବା ଲୋକମାନଙ୍କୁ ପୂର୍ବରୁ ସ୍ଥାନାନ୍ତର କରାଯାଇଥିଲା।

ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୧୧ ହଜାର ୪୪୨ ଜଣଙ୍କୁ ନିରାପଦ ସ୍ଥାନକୁ ନିଆଯାଇଥିଲା। ଏଥିସହ ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ଏହି ପରୀକ୍ଷଣ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା କୌଶଳଗତ ବଳ କମାଣ୍ଡର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷଣ ସମ୍ପନ୍ନ ହୋଇଥିଲା।

ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ସମସ୍ତ ବୈଷୟିକ ମାନଦଣ୍ଡକୁ ସଫଳତାର ସହ ପୂରଣ କରିଥିଲା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟକୁ ସଠିକ୍ ଭାବେ ଭେଦ କରିବାରେ ସକ୍ଷମ ହୋଇଥିଲା। ଏହି ସଫଳ ପରୀକ୍ଷଣ ଦେଶର ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *