ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ମନ୍ଦିର ପରିସରରେ ପୂର୍ବରୁ ଲେଖାଯାଇଥିବା ‘ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦକୁ ହଟାଇ ଦିଆଯାଇଛି। ବର୍ତ୍ତମାନ ସେଠାରେ ‘ଜଗନ୍ନାଥ ସଂସ୍କୃତି କେନ୍ଦ୍ର’ ନାମ ପ୍ରଦର୍ଶିତ ହେଉଛି। ଏହି ପରିବର୍ତ୍ତନ ପରେ ପୁଣିଥରେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁଯାୟୀ, ଓଡ଼ିଶା ସରକାର ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଏକ ଚିଠି ଲେଖାଯାଇଥିଲା।
ଚିଠିରେ ‘ଧାମ’ ଶବ୍ଦର ବ୍ୟବହାର ଉପରେ ଆପତ୍ତି ଉଠାଯାଇଥିଲା। ଓଡ଼ିଶାର ଧାର୍ମିକ ଭାବାବେଗ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ପରମ୍ପରାକୁ ଦୃଷ୍ଟିରେ ରଖି ଏହି ଶବ୍ଦ ବ୍ୟବହାର ନକରିବାକୁ ଅନୁରୋଧ କରାଯାଇଥିଲା। ଏହା ପରେ ଦୀଘାର ମନ୍ଦିର ପରିସରରେ ଲାଗିଥିବା ଫଳକରୁ ‘ଜଗନ୍ନାଥ ଧାମ’ ନାମକୁ ହଟାଇ ‘ଜଗନ୍ନାଥ ସଂସ୍କୃତି କେନ୍ଦ୍ର’ ଲେଖାଯାଇଥିବା ଦେଖିବାକୁ ମିଳିଛି।ବିରୋଧୀ ଦଳନେତା ଶୁଭେନ୍ଦୁ ଅଧିକାରୀ ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ, ଜଗନ୍ନାଥଙ୍କ ଆଦି ଧାମ ହେଉଛି ପୁରୀ ଏବଂ ଏହାର ମର୍ଯ୍ୟାଦା ସହ କୌଣସି ପ୍ରକାର ସମଝୌତା ହେବା ଉଚିତ ନୁହେଁ। ସେ ଦାବି କରିଥିଲେ ଯେ ଦୀଘାରେ ନିର୍ମିତ ମନ୍ଦିରକୁ ‘ଧାମ’ ବୋଲି କହିବା ଉଚିତ ନୁହେଁ। ଏହାପରେ ନାମ ପରିବର୍ତ୍ତନକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ, ଦୀଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ଦିନରୁ ହିଁ ଚର୍ଚ୍ଚାରେ ରହିଆସିଛି। ମନ୍ଦିରର ନାମକରଣ, ଶ୍ରୀମନ୍ଦିର ପରମ୍ପରା ସହ ସାମଞ୍ଜସ୍ୟ ଏବଂ ‘ଧାମ’ ଶବ୍ଦର ବ୍ୟବହାରକୁ ନେଇ ଅନେକ ମହଳରୁ ମତଭେଦ ପ୍ରକାଶ ପାଇଥିଲା। ବିଶେଷକରି ଓଡ଼ିଶାର ଧାର୍ମିକ ସଂଗଠନ, ସେବାୟତ ଏବଂ ଭକ୍ତମାନେ ଏହାକୁ ନେଇ ଆପତ୍ତି ଜଣାଇଥିଲେ।ତେବେ ‘ଧାମ’ ଶବ୍ଦ ହଟାଯିବା ପରେ ବିବାଦ କିଛି ମାତ୍ରାରେ ଥମିବ ବୋଲି ଆଶା କରାଯାଉଛି। କିନ୍ତୁ ଦୀଘା ମନ୍ଦିରକୁ ନେଇ ଧାର୍ମିକ ଓ ରାଜନୈତିକ ଆଲୋଚନା ଆଗାମୀ ଦିନରେ ମଧ୍ୟ ଜାରି ରହିପାରେ ବୋଲି ପର୍ଯ୍ୟବେକ୍ଷକମାନେ ମତ ପ୍ରକାଶ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ଧାମର ସ୍ୱତନ୍ତ୍ର ପରିଚୟ ଓ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ପ୍ରସଙ୍ଗ ପୁଣିଥରେ ଏହି ଘଟଣା ମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି।

